ଆଦିବାସୀ ପିଲାଙ୍କ ପାଠପଢା ପାଇଁ ସରକାର ଉଦ୍ୟମରତ: ସୀତାରମଣ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ବେଳେ ଆଜି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

କୁୱି ଓ ଦେଶୀଆ ପୁସ୍ତକର ଶୁଭାରମ୍ଭ କଲେ ସୀତାରମଣ ଓ ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ବେଳେ ଆଜି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସୀତାରମଣଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମିଳିତ ଭାବରେ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭୁବନେଶ୍ୱରରେ କୁୱି ଓ ଦେଶୀଆ ପୁସ୍ତକର ଶୁଭାରମ୍ଭ କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମେରି ମାଟି ମେରା ଦେଶ’ ଶୀର୍ଷକ ବାଲୁକା କଳା ପରିଦର୍ଶନ କରିଥିଲେ। ମେରି ମାଟି ମେରା ଦେଶର ‘ସମର୍ପଣ ଓ ବସୁଧା ବନ୍ଦନ’ କାର୍ଯ୍ୟକ୍ରମରେ ସୀତାରମଣଙ୍କ ସହ ଧର୍ମେନ୍ଦ୍ର ଛାତ୍ରଛାତ୍ରୀଙ୍କ ସହ ମିଶି ସହିଦଙ୍କ ସ୍ମୃତିରେ ସ୍ମାରକୀ ଫଳକ ସ୍ଥାପନ କରିବା ସହ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଏକ ସଭାକୁ ପଞ୍ଚ ପ୍ରାଣ ଶପଥ ପାଠ କରାଇଥିଲେ।

ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ବୀରହରେକୃଷ୍ଣପୁର ଗାଁରେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସହିଦଙ୍କ ପରିବାର ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ମନ୍ତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ଦିଲ୍ଲୀରେ ଅମୃତ ବାଟିକା ତିଆରି କରିବା ପାଇଁ ବୀରହରେକୃଷ୍ଣପୁର ଗାଁରୁ ଘରେ ଘରେ ମାଟି ଓ ଚାଉଳ ସଂଗ୍ରହ କରିଥିଲେ। ଓଡ଼ିଶାର ପୁରୀ ଜିଲ୍ଲାର ଐତିହ୍ୟ କାରିଗର ଗ୍ରାମ ରଘୁରାଜପୁରର କାରିଗରମାନଙ୍କ ସହ ମନ୍ତ୍ରୀମାନେ ଆଲୋଚନା କରିଥିଲେ।

ନିର୍ମଳା ସୀତାରମଣ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱରରେ କୁଭି ଓ ଦେଶୀ ପୁସ୍ତକର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ତରଫରୁ ସ୍ୱତନ୍ତ୍ର କଭର ରିଲିଜ କରାଯାଇଥିଲା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ, ଡାକ ବିଭାଗ ଏବଂ ଏନସିଇଆରଟିର ମିଳିତ ଉଦ୍ୟମରେ ଏହା କରାଯାଇଛି। ଏହି ଅବସରରେ ସୀତାରମଣ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଏକ ଅତ୍ୟନ୍ତ ପ୍ରଗତିଶୀଳ ନୀତି। ଏହା ଭିନ୍ନ ଭିନ୍ନ ଲୋକମାନେ ନିଜ ମନକୁ ଏକାଠି କରିବା ଏବଂ ବ୍ୟାପକ ବିଚାର ବିମର୍ଶର ପରିଣାମ। ଏନଇପି ହେଉଛି ଏକ ନମନୀୟ ନୀତି। ଯେତେବେଳେ ଜଣେ ନିଜ ମାତୃଭାଷାରେ ଶିଖିଥାଏ, କଥା ହୁଏ ଏବଂ ଚିନ୍ତା କରେ, ସେତେବେଳେ ଚିନ୍ତାଧାରାର ସ୍ପଷ୍ଟତା ଥାଏ ଯାହାକୁ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇପାରିବ । ସେଥିପାଇଁ ମାତୃଭାଷାରେ ଶିକ୍ଷା ଦାନ ଜରୁରୀ। ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଓ ମନ୍ତ୍ରୀ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।

ଉନ୍ମୋଚନ ଉତ୍ସବରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ଭାଷଣ ଦକ୍ଷତା, ଶିକ୍ଷଣ ଫଳାଫଳ ଏବଂ ଜ୍ଞାନ ବିକାଶ ପାଇଁ ସେମାନଙ୍କର ସ୍ଥାନୀୟ ପ୍ରକୃତି ଓ ସଂସ୍କୃତି ଉପରେ ଆଧାରିତ ଚିତ୍ର, କାହାଣୀ ଏବଂ ଗୀତ ମାଧ୍ୟମରେ ଶିକ୍ଷା ଦେବା ଜରୁରୀ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ପ୍ରଥମ ଥର ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାରେ କୁଭି ଓ ଦେଶୀଆ ଆଦିବାସୀ ଭାଷା କହୁଥିବା ପିଲାମାନଙ୍କ ପାଇଁ ଦୁଇଟି ଅମୂଲ୍ୟ ପୁସ୍ତକ ପ୍ରସ୍ତୁତ କରିଛି: “କୁୱି ପ୍ରାଇମର” ଏବଂ “ଦେଶୀ ପ୍ରାଇମର”। ଏହି ଦୁଇଟି ପ୍ରାଇମର୍ କେବଳ ସେହି ପିଲାମାନଙ୍କର ଏକ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନ କରିବ ନାହିଁ ବରଂ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ, ଭାଷାଗତ ଐତିହ୍ୟ ଓ ପରିଚୟକୁ ସୁରକ୍ଷିତ ଓ ପ୍ରୋତ୍ସାହିତ କରିବ।