ସମସ୍ତ ପ୍ରତିଯୋଗିତାରୁ ବାଦ ଦୂତି ଚାନ୍ଦ

ଆସନ୍ତା ୪ ବର୍ଷ ଯାଏଁ ସମସ୍ତ ପ୍ରତିଯୋଗିତାରୁ ବାଦ ପଡିଲେ ଭାରତର ଦ୍ରୁତତମ ମହିଳା ଆଥଲେଟ ଦୂତୀ ଚାନ୍ଦ ।

୪ ବର୍ଷ ଯାଏ ନିଷିଦ୍ଧ

ଭୁବନେଶ୍ୱର: ଆସନ୍ତା ୪ ବର୍ଷ ଯାଏଁ ସମସ୍ତ ପ୍ରତିଯୋଗିତାରୁ ବାଦ ପଡିଲେ ଭାରତର ଦ୍ରୁତତମ ମହିଳା ଆଥଲେଟ ଦୂତୀ ଚାନ୍ଦ । ଏହି ନିଷିଧାଦେଶ ଅବଧି ୨୦୨୩ ଜାନୁଆରୀ ୩ ତାରିଖରୁ ଲାଗୁ ହେବ । ଡୋପ୍ ଟେଷ୍ଟରେ ବିଫଳ ହେବାରୁ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ଏହି ନିଷ୍ପତି ନେଇଛି । ଏଡିଡିପିର ଅଧ୍ୟକ୍ଷ ଚୈତନ୍ୟ ମହାଜନ ଗୁରୁବାର ଦେଇଥିବା ତାଙ୍କ ଆଦେଶରେ କହିଛନ୍ତି, ଦୂତୀଙ୍କୁ ଡିସେମ୍ବର ୫, ୨୦୨୨ରେ ଦୂତୀ ସିଲେକ୍ଟିଭ୍ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର (ଏସଏଆରଏମ) ପାଇଁ ପ୍ରତିଯୋଗିତା ବାହାରେ ଦୁଇଟି ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ଆଥଲେଟ ନିଷିଦ୍ଧ ଦ୍ରବ୍ୟ ସେବନର ଉତ୍ସ ବିଷୟରେ ସନ୍ତୁଷ୍ଟ କରିଛନ୍ତି, କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି କିମ୍ବା ଅବହେଳାକୁ ପ୍ରମାଣିତ କରିବାରେ ସକ୍ଷମ ହୋଇନାହାନ୍ତି । ପରିସ୍ଥିତିର ସାମଗ୍ରିକତାକୁ ଦୃଷ୍ଟିରେ ରଖି ଉକ୍ତ ଆଂଟି ଡୋପିଂ ନିୟମ ଉଲ୍ଲଂଘନ ଅଜାଣତରେ ହୋଇଥିଲା ବୋଲି ଆଥଲେଟ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି ।
୨୦୨୨ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର୍ ଡୋପ୍ କଂଟ୍ରୋଲ ଅଫିସରମାନେ ଦୂତୀଙ୍କର ଦୁଇଥର ଦୋପିଂ ଟେଷ୍ଟ କରିଥିଲେ । ତାଙ୍କର ପ୍ରଥମ ନମୁନାରେ ଆଣ୍ଡାରିନ୍‌, ଓଷ୍ଟାରିନ୍‌, ଓ ଲିଗାଣ୍ଡ୍ରୋଲ ଭଳି ଆନାବୋଲିକ୍ ଏଜେଂଟର ଉପସ୍ଥିତି ଜଣାପଡିବା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ ଥିବା ଜଣାପଡିଥିଲା । ପ୍ରତିକୂଳ ଆନାଲିଟିକାଲ ଫାଇଣ୍ଡିଂ (ଏଏଏଫ) ନୋଟିସ ପାଇବାର ୭ ଦିନ ମଧ୍ୟରେ ଦୂତୀଙ୍କ ପାଖରେ ‘ବି’ ନମୂନା ପରୀକ୍ଷା କରିବାର ବିକଳ୍ପ ଥିଲେ ମଧ୍ୟ ସେ ଏହି ଟେଷ୍ଟ କରିବାକୁ ଯାଇନଥିଲେ । ଫଳରେ ଆଥଲେଟିକ୍ସର ସମସ୍ତ ପ୍ରତିଯୋଗିତାରୁ ଆସନ୍ତା ୪ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି ।