ଗଜପତିରେ ୭୨୫ଟି ଅଭିଯୋଗର ସମାଧାନ

ଗଜପତି ଗସ୍ତରେ ୫-ଟି ସଚିବ

ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ଵର; 27/8/23: ଗଜପତି ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ତାଙ୍କର ଶେଷ ଗସ୍ତ ସମୟରେ ମିଳିଥିବା ଅଭିଯୋଗ ଆବେଦନର ଅଗ୍ରଗତି ସମୀକ୍ଷା କରିଛନ୍ତି।

ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମୋଟ ୭୮୯ଟି ଅଭିଯୋଗ ଆବେଦନ ଆସିଥିବା ବେଳେ ସେଥିମଧ୍ୟରୁ ୭୨୫ଟି ଆବେଦନର ସମାଧାନ ହୋଇଛି ଏବଂ ୬୪ଟି ଆବେଦନ ସମାଧାନର ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ ବିଜୁ ଏକ୍ସପ୍ରେସ୍ ୱେ ସର୍ଭେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପାରଳାଖେମୁଣ୍ଡିରେ ୪ ଲେନ୍ ବାଇ ପାସ୍ ରୋଡ୍ ସମ୍ପର୍କରେ ଆଲୋଚନା କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛେଲିଗଡ଼ା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଖପାଖ ଉନ୍ନୟନ ପ୍ରଭାବିତ ଗ୍ରାମଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ୧୦.୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଉପାଦାନକୁ ପରିଧି ବିକାଶ ପାଇଁ ଅନୁମୋଦନ କରାଯାଇଥିଲା। ପାରଳାଖେମୁଣ୍ଡିସ୍ଥିତ ସଂସ୍କୃତି ଭବନକୁ ୬ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ମଞ୍ଜୁର କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକ ହେଲା କୃଷ୍ଣ ସାଗର (୩.୧୪ କୋଟି), ରାମସାଗର (୩.୫୦ କୋଟି), ଗଜପତି ସାଗର (୧.୪ କୋଟି)। ଖୁବଶୀଘ୍ର ଟେଣ୍ଡର ଶେଷ କରି କାମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସ୍ମାର୍ଟ କ୍ଲାସରୁମ୍, ସାଇନ୍ସ ଲ୍ୟାବ୍ ଇତ୍ୟାଦି ପାଇଁ ବିଭିନ୍ନ କଲେଜକୁ ମଞ୍ଜୁର ହୋଇଥିବା ୧୧ କୋଟି ଏବଂ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ କୋଠାର ବିକାଶ ପାଇଁ ୧୮.୪୫ କୋଟି ଟଙ୍କାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଅକ୍ଟୋବର ସୁଦ୍ଧା କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଗଜପତି ଜିଲ୍ଲାରେ ଅଧିକାଂଶ ଆବେଦନ ପାଇଁ ପ୍ରକଳ୍ପ ମଞ୍ଜୁରୀ ସରିଥିବାରୁ ଅଭିଯୋଗ ସମାଧାନ ନେଇ ଶ୍ରୀ ପାଣ୍ଡିଆନ ସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇବା ସହ ସମୟ ସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ ସମ୍ପ୍ରଦାୟକୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ କହିଥିଲେ ଏବଂ ସେମାନଙ୍କ ଆବେଦନର ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ।

ଅଭିଯୋଗ ପତ୍ରରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଆସ୍ଥା କୁ ସମ୍ମାନ ଦେବା ସହ ଆବେଦନକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କ ସନ୍ତୋଷ ଉପରେ ମତାମତ ନେବା ଉଚିତ ବୋଲି ସେ କହିଛନ୍ତି।

ସକାଳ ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଶ୍ରୀ ବିନୀଲ କ୍ରିଷ୍ଣା, ଜିଲ୍ଲାପାଳ ଏସ୍ ଏସ୍ ପ୍ରଧାନ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଆଜି ହେବାକୁ ଥିବା ଜନଅଭିଯୋଗ ସଭାକୁ ଜାରି ରଖିବା ପାଇଁ ସେ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ।