୭୬ଟି ସେକେଣ୍ଡାରି ସ୍କୁଲ ଓ ୫୦ଟି ଡିଗ୍ରୀ କଲେଜକୁ ୫-ଟି ରୂପାନ୍ତରଣ: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଯାଜପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ

ମିଶନ ଶକ୍ତି ଗ୍ରୁପ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଭିକେ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି।

ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ଗୋଷ୍ଠୀ ଓ ଜିଲ୍ଲାର ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମିଶନ ଶକ୍ତି ଗ୍ରୁପ୍ ଗୁଡ଼ିକ ସହିତ ସେମାନଙ୍କ କାର୍ଯ୍ୟକଳାପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏସଏମଇରେ ପରିଣତ କରିବା ପାଇଁ ଆବଶ୍ୟକ ସହଯୋଗ ବିଷୟରେ ଆଲୋଚନା କରିଥିଲେ। ମିଶନ ଶକ୍ତି ଅଭିଯାନକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଉପରେ ଏହାର ପ୍ରଭାବ ଯୋଗୁଁ ମିଶନ ଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟର ଅତି ନିକଟତର ବୋଲି ସେ କହିଛନ୍ତି। ଜିପି, ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ଥାୟୀ କୋଠା ନିର୍ମାଣ ଏବଂ ଜିଲ୍ଲାର ସମସ୍ତ ସ୍ଥାନରେ ଉନ୍ନତ ପହଂଚିବା ପାଇଁ ଜିଲ୍ଲାସ୍ତରୀୟ କର୍ମଚାରୀଙ୍କୁ ମୋବିଲିଟି ସହାୟତା ଯୋଗାଇ ମିଶନ ଶକ୍ତିକୁ ଆହୁରି ସୁଦୃଢ଼ କରାଯିବ। ଅବ୍ୟବହୃତ ସମସ୍ତ ସରକାରୀ କୋଠାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀକୁ ସେମାନଙ୍କ କାର୍ଯ୍ୟକଳାପ ପାଇଁ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ବିନା ସୁଧରେ ଋଣ ବାବଦରେ ସଚେତନତା ସୃଷ୍ଟି କରିବା ସହ ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ ଯାଜପୁର ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ୬୧.୫ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ୭୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୫୦ଟି ଡିଗ୍ରୀ କଲେଜକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନୂଆ ଓଡ଼ିଶା ଗଠନ ଓ ରାଜ୍ୟର ପରିବର୍ତନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସେ ଅବଗତ କରାଇଥିଲେ। ନୂଆ ଓଡ଼ିଶା ଗଠନ ଦିଗରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଶକ୍ତି ହେବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ସେମାନଙ୍କୁ ଉଚ୍ଚ ଲକ୍ଷ୍ୟ ହାସଲ କରିବାକୁ ଏବଂ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲେ ।

ସେମାନଙ୍କ ପାଠପଢ଼ା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବ୍ୟକ୍ତିତ୍ୱ ବିକାଶ ଉପରେ ଧ୍ୟାନ ଦେବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ। ଶାରୀରିକ ସୁସ୍ଥତା ଏବଂ ମାନସିକ ଶକ୍ତି ସଫଳତାର ମୁଖ୍ୟ ମାପଦଣ୍ଡ ଅଟେ । ପ୍ରତିଦିନ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିବା ସହ ଦୈନିକ ୧୫ ମିନିଟ୍ ଧ୍ୟାନ କରିବାକୁ ସେ କହିଥିଲେ।

ଶ୍ରୀ ପାଣ୍ଡିଆନ୍ କଲେଜର ବିକାଶ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା ଉପରେ ଧ୍ୟାନ ଦେବା ଉଚିତ ଏବଂ ଖରାପ ଅଭ୍ୟାସରେ ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ନ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମଦ୍ୟପାନ, ଧୂମପାନ, ଡ୍ରଗ୍ସ କିମ୍ବା ସୋସିଆଲ ମିଡିଆରେ ନିଶାଗ୍ରସ୍ତ ନ ହୋଇ ନିଜ କ୍ୟାରିୟର ବିକାଶ ଦିଗରେ ସକାରାତ୍ମକ ଭାବେ ସମୟ ଓ ଶକ୍ତି ଖର୍ଚ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଯାଜପୁର ଜିଲ୍ଲାପାଳ ଓ ଡିଏମ୍ ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋର, ଯାଜପୁର ଜିଲ୍ଲାପାଳ ଓ ଡିଏମ୍ ଶ୍ରୀ ବିନୀତ ଅଗ୍ରୱାଲ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ସହ ଥିଲେ।