‘ମୁଁ ବି ମିତା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଜି ରାଜ୍ୟ ସ୍ତରୀୟ ‘ମୁଁ ବି ମିତା’ ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି ।

ବୁଥ୍ ସ୍ତରୀୟ ଅଧିକାରୀଙ୍କ ଏକ କାଳ୍ପନିକ ଚରିତ୍ର

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଜି ରାଜ୍ୟ ସ୍ତରୀୟ ‘ମୁଁ ବି ମିତା’ ଅଭିଯାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହ ତାଲିକାରେ ନୂତନ ଭୋଟର ଯେଉଁମାନଙ୍କର ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇଛି ଏବଂ ଭାବୀ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରୋତ୍ସାହିତ କରିବା ହେଉଛି ‘ମୁଁ ବି ମିତା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ‘ମୁଁ ବି ମିତା’ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଏକ କାଳ୍ପନିକ ଚରିତ୍ର ଅଟେ, ଯଦିଓ ସେ ପ୍ରକୃତରେ କୌଣସି ବୁଥ୍ ସ୍ତରୀୟ ଅଧିକାରୀ ନୁହଁନ୍ତି, ତଥାପି ସେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପରି ନୂତନ ଓ ଭାବୀ ଭୋଟରମାନଙ୍କର ତାଲିକାରେ ନାମ ପଞ୍ଜୀକରଣ ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ସହାୟତା ଯୋଗାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟମାନଙ୍କରୁ ଚୟନ ହୋଇ ଆସିଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ‘ମୁଁ ବି ମିତା’ କ୍ୟାମ୍ପସ୍ ଆମ୍ବାସଡର ଭାବେ ଘୋଷଣା କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ତାଙ୍କ ଅଭିଭାଷଣରେ କହିଲେ ଯେ, ଆଜିର ଛାତ୍ରଛାତ୍ରୀମାନେ ହିଁ ଆମ ଗଣତନ୍ତ୍ର ତଥା ଦେଶର ଭବିଷ୍ୟତ । ଗଣତନ୍ତ୍ରର ସୁଦୃଢୀକରଣ ନିମନ୍ତେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିଲେ ସୁନ୍ଦର ଦେଶ ଗଠନ ସମ୍ଭବ ହେବ । ଛାତ୍ରଛାତ୍ରୀମାନେ ‘ମୁଁ ବି ମିତା’ କାର୍ଯ୍ୟକ୍ରମରେ ବହୁମାତ୍ରାରେ ସାମିଲ ହୋଇ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ ସହ ଅନ୍ୟମାନଙ୍କୁ ଏଥିରେ ସାମିଲ କରିପାରିଲେ ଏକ ମହତ କାର୍ଯ୍ୟ ହୋଇପାରିବ ବୋଲି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ ।


ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଭୁବନେଶ୍ୱର ଉପଜିଲ୍ଲାପାଳ ମଧୁସୂଦନ ବେହେରା, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଓ ଅଧ୍ୟାପିକା ଅଲିଭା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।