‘ଇଣ୍ଡିଆ’ ନୁହେଁ ‘ଭାରତ’

ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଶବ୍ଦ ବ୍ୟବହାର ପାଇଁ ବିଲ ଆଗତ ହୋଇପାରେ ।

ପାର୍ଲାମେଂଟ ସ୍ୱତନ୍ତ୍ର ଅଧିବେଶନରେ ନାମ ପରିବର୍ତନ ଦାବି

ନୂଆଦିଲ୍ଲୀ,୫/୯: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ଯାଏ ହେବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଅଧିବେଶନରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ରଖିବା ପାଇଁ ପ୍ରସ୍ତାବ ଆସିପାରେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ପ୍ରସ୍ତାବ ଆଗତ କରିବେ । ଭାରତୀୟ ସମ୍ବିଧାନରେ ବର୍ତମାନ ଦେଶକୁ ‘ଇଣ୍ଡିଆ’ ଅର୍ଥାତ ‘ଭାରତ’ ବୋଲି ଦର୍ଶାଯାଇଛି, କିନ୍ତୁ ଏହାକୁ କେବଳ ‘ଭାରତ’ ନାମରେ ସଂଶୋଧନ କରିବାକୁ ଦାବି ଜୋର ଧରିଛି ।
ରାଷ୍ଟ୍ରପତି ଭବନରୁ ଜି-୨୦ ପ୍ରତିନିଧିଙ୍କୁ ଦିଆଯାଇଥିବା ସରକାରୀ ରାତ୍ରୀ ଭୋଜନ ନିମନ୍ତ୍ରଣ ବିଜ୍ଞପ୍ତିରେ ‘ରାଷ୍ଟ୍ରପତି ଅଫ ଇଣ୍ଡିଆ’ ବଦଳରେ ‘ଭାରତର ରାଷ୍ଟ୍ରପତି’ ଲେଖାଯାଇଥିଲା । ସେହିପରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଦେଶ ଗସ୍ତ ପାଇଁ ବ୍ୟବହୃତ ସ୍ୱତନ୍ତ୍ର ବିମାନରେ ମଧ୍ୟ ‘ଭାରତ’ ଶବ୍ଦର ବ୍ୟବହାର କରାଯାଉଛି । ଯାହାକୁ ନେଇ ଏବେ ‘ଭାରତ’ର ନାମ ପରିବର୍ତନ ପାଇଁ ଜୋର ଦାବି ଧରିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ମଧ୍ୟ ଏହି ପରିବର୍ତନର ନାରାକୁ ସମର୍ଥନ ଜଣାଇଛନ୍ତି । ମୋହନ ଭାଗବତ କହିଛନ୍ତି, ଆମ ଦେଶର ନାମ ଶତାବ୍ଦୀ ଧରି ‘ଭାରତ’ ରହିଛି, ‘ଇଣ୍ଡିଆ’ ନୁହେଁ । ଦେଶ ପାଇଁ ‘ଇଣ୍ଡିଆ’ ନୁହେଁ, ବରଂ ‘ଭାରତ’ ନାମ ବ୍ୟବହାର କରିବା ଉଚିତ୍ ।
ସଂସଦର ମୌସୁମୀ ଅଧିବେଶନରେ ବିଜେପି ରାଜ୍ୟସଭା ସାଂସଦ ନରେଶ ବଂଶଲ ଏବଂ ହରନାଥ ସିଂହ ‘ଇଣ୍ଡିଆ’ ଶବ୍ଦକୁ ହଟାଇବାକୁ ଦାବି କରିଥିଲେ । ତେବେ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ପରିବର୍ତନ ପାଇଁ ସଂଶୋଧନ ବିଲ୍ ଆଗତ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।