ବିନା ଏଜେଣ୍ଡାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ

ସେପ୍ଟେମ୍ବର ୧୯ରେ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ବିଭିନ୍ନ ରାଜନୈତିକ ଦଳ କଡା ସମାଲୋଚନା କରିଛନ୍ତି।

ମୋଦିଙ୍କୁ ସୋନିଆଙ୍କ ୯ ଦାବି ବିଶିଷ୍ଟ ଚିଠି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୨ ଯାଏ ଏହି ଅଧିବେଶନ ଅନୁଷ୍ଠିତ ହେବ। ହେଲେ, ଏହି ସ୍ୱତନ୍ତ୍ର ଅଧିବେଶନକୁ ଅନେକ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଗଣେଶ ଚତୁର୍ଥୀ ସମୟରେ ଡକାଯାଇଥିବା ଏହି ସ୍ୱତନ୍ତ୍ର ଅଧିବେଶନ ଦୁର୍ଭାଗ୍ୟଜନକ ଏବଂ ଏହା ହିନ୍ଦୁ ଭାବନା ବିରୁଦ୍ଧରେ ବୋଲି ଚତୁର୍ବେଦୀ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାକୁ ସାମାନ୍ୟ ଆତଙ୍କର ସୂଚକ ବୋଲି କହିଛନ୍ତି। ସଂସଦ ଭବନରେ ମୁଁ ଭାଷଣ ଦେବା ବେଳେ ଯେଉଁ ଆତଙ୍କ ଦେଖାଦେଇଥିଲା, ହଠାତ୍ ସେମାନେ ମୋର ସଂସଦ ସଦସ୍ୟତା ପ୍ରତ୍ୟାହାର କରିନେଇଥିଲେ। ତେଣୁ ମୁଁ ଭାବୁଛି ଏହା ଆତଙ୍କିତ କାରଣ ଏସବୁ ମାମଲା ପ୍ରଧାନମନ୍ତ୍ରୀଙ୍କ ଅତି ନିକଟତର ବୋଲି ରାହୁଲ କହିଛନ୍ତି। ସେହିଭଳି କଂଗ୍ରେସ ନେତା ଜୟରାମ ରମେଶ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।

ଏବେ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୯ ଦାବି ସମ୍ବଳିତ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ “କେନ୍ଦ୍ର ସରକାର କୌଣସି ଏଜେଣ୍ଡା ନ ଦେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, ବେରୋଜଗାର ବୃଦ୍ଧି, ଏମଏସଏମଇର ଅସମାନତା ଏବଂ କୃଷକମାନଙ୍କର ଦାବି ସମ୍ପର୍କରେ ଭାରତ ସରକାର କୃଷକ ଓ କୃଷକ ସଂଗଠନମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଧାରିତ ଆଲୋଚନା କରାଯାଉ। ଏବଂ ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଆଦାନୀ ବ୍ୟବସାୟୀ ଗୋଷ୍ଠୀର କାରବାରର ତଦନ୍ତ ପାଇଁ ଏକ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଗଠନ କରାଯାଉ।

ଆହୁରି ମଧ୍ୟ କହିଛନ୍ତି, ମଣିପୁରର ଲୋକମାନେ ନିରନ୍ତର ଯନ୍ତ୍ରଣା ଭୋଗୁଛନ୍ତି ଏବଂ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ହରିୟାଣା ଭଳି ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି, ଚୀନ୍ ଦ୍ୱାରା ଭାରତୀୟ ଅଞ୍ଚଳକୁ ଦଖଲ ଜାରି ରଖିବା ଏବଂ ଲଦାଖରେ ଆମ ସୀମାରେ ଆମର ସାର୍ବଭୌମତ୍ୱ ପ୍ରତି ଚ୍ୟାଲେଞ୍ଜ, ଯାହାର ସମାଧାନ ହେବା ନିହାତି ଆବଶ୍ୟକ। ଜାତିଗତ ଜନଗଣନାର ଜରୁରୀ ଆବଶ୍ୟକତା ରହିଛି। କେତେକ ରାଜ୍ୟରେ ପ୍ରବଳ ବନ୍ୟା ଏବଂ କେତେକ ରାଜ୍ୟରେ ମରୁଡ଼ି ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରେ ବହୁ ଧନଜୀବନ ହାନି ହେଉଛି। ତେଣୁ ମୁଁ ଆଶା କରୁଛି ଯେ ଗଠନମୂଳକ ସହଯୋଗର ଭାବନା ରେ ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରାଯିବ।”