ବିଶ୍ୱକୁ ଯୋଡିବାର ମାଧ୍ୟମ ଆଞ୍ଚଳିକ ଏକତା ଏବଂ ପାରସ୍ପରିକ ବିଶ୍ୱାସ : ମୋଦି

ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ଶିଖର ସମ୍ମିଳନୀରେ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି।

ଏସିଆନ-ଭାରତ ଶିଖର ସମ୍ମିଳନୀରେ ଚୀନକୁ ଟାର୍ଗେଟ

ଜାକର୍ତା,୭/୯: ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ସମ୍ବୋଧିତ କରି କହିଛନ୍ତି, ଦ୍ୱିପାକ୍ଷିକ ସଂସ୍ଥା ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ମଧ୍ୟରେ ଆଲୋଚନା ଏବଂ ସହଯୋଗ ପାଇଁ ପ୍ରାଥମିକ ମଞ୍ଚ ହେବା ଉଚିତ୍ । ଏସିଆନ ଭାରତର ‘ଆକ୍ଟ ଇଷ୍ଟ’ ନୀତିର ଏକ କେନ୍ଦ୍ରୀୟ ସ୍ତମ୍ଭ ଏବଂ ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ଏହି ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି। ଏସିଆନରେ ‘ନୂଆ ଶୀତଳ ଯୁଦ୍ଧ’ ବିରୋଧରେ ଚୀନ୍ ଚେତାବନୀ ଦେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କଠୋର ମନ୍ତବ୍ୟ ଦେଇଛନ୍ତି। ବୁଧବାର ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ କହିଥିଲେ ଦେଶଗୁଡ଼ିକ ମଧ୍ୟରେ ସଂଘର୍ଷର ମୁକାବିଲା କରିବା ସମୟରେ ‘ନୂଆ ଶୀତଳ ଯୁଦ୍ଧ’କୁ ଏଡ଼ାଇବା ଜରୁରୀ। ମତଭେଦ ଓ ବିବାଦକୁ ଉପଯୁକ୍ତ ଭାବେ ପରିଚାଳନା କରିବା ର ଆବଶ୍ୟକତା ରହିଛି। ଯାହାର ପ୍ରତିକ୍ରିୟା ରଖି ମୋଦି ଆଜି ଏହି ମନ୍ତବ୍ୟ ଦେଇଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ବିଶ୍ୱ କଠିନ ପରିସ୍ଥିତି ଏବଂ ଅନିଶ୍ଚିତତା ଭିତରେ ଘେରି ରହିଛି ଏବଂ “ଆତଙ୍କବାଦ, ଉଗ୍ରବାଦ ଏବଂ ଭୂ-ରାଜନୈତିକ ସଂଘର୍ଷ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ” ବୋଲି ଏସିଆନ ନେତାମାନଙ୍କୁ କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସିଆନକୁ ସଂଯୋଗ କରୁଛି । ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ମାନବାଧିକାର ପ୍ରତି ସମ୍ମାନ ଭଳି ସାଧାରଣ ମୂଲ୍ୟବୋଧ ମଧ୍ୟ ଆମ ମଧ୍ୟରେ ରହିଛି। ମିଳିତ ମୂଲ୍ୟବୋଧ ସହିତ ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି ଏବଂ ବହୁଧ୍ରୁବୀ ବିଶ୍ୱରେ ପାରସ୍ପରିକ ବିଶ୍ୱାସ ମଧ୍ୟ ଆମକୁ ଏକାଠି ବାନ୍ଧି ରଖିଛି।
ସେ ବହୁପକ୍ଷବାଦ ଏବଂ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଆହ୍ୱାନ ଦେବା ସହ ବିଭିନ୍ନ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।