ପଣ୍ଡିଚେରୀରେ ଦର୍ଶକଙ୍କ ଚିତ ମୋହିଲେ ନୃତ୍ୟଶିଳ୍ପୀ ଡକ୍ଟର ଚିତରଞ୍ଜନ

ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡକ୍ଟର ଚିତରଞ୍ଜନ ସାହାଣୀ ଓଡିଶୀ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଛନ୍ତି ।

ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ପଣ୍ଡିଚେରୀ,୭/୯: ଓଡିଶାର ପ୍ରସିଦ୍ଧ ତଥା ଶ୍ରୀ ମନ୍ଦିରର ଲାଳିତ୍ୟ ପୂର୍ଣ୍ଣ ମନ୍ଦିର ନୃତ୍ୟ ଶୈଳୀ ଓଡିଶୀ ନୃତ୍ୟ ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠା ଅର୍ଜନ କରିବାରେ ଲାଗିଛି । କଟକସ୍ଥିତ ନୃତ୍ୟଶାଳା ନୃତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଚିତରଞ୍ଜନ ସାହାଣୀ ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହର ବିଶେଷ ସମ୍ମିଳନୀ ପଣ୍ଡିଚେରୀକୁ ଆମନ୍ତ୍ରିତ ହୋଇ ସହସ୍ରାଧିକ ଦର୍ଶକଙ୍କୁ ଶ୍ରୀଜୟଦେବଙ୍କ କୃତ ଗୀତଗୋବିନ୍ଦରେ ଓଡିଶୀ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଛନ୍ତି । ଡକ୍ଟର ଚିତରଞ୍ଜନଙ୍କ ଭାବପୂର୍ଣ୍ଣ ଆଧ୍ୟାତ୍ମିକ ନୃତ୍ୟରେ ବିମୋହିତ ହୋଇ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ୱାମୀ, ସଂସ୍କୃତି ମନ୍ତ୍ରୀ ଚନ୍ଦ୍ରିୟା ପ୍ରିୟଙ୍ଗାଙ୍କ ଦ୍ୱାରା ଉତରୀୟ, ମାନପତ୍ର ଓ ଉପଢୌକନରେ ସମ୍ବର୍ଦ୍ଧିତ ହୋଇଥିଲା ବେଳେ ନୃତ୍ୟଶିଳ୍ପୀ ଡକ୍ଟର ଚିତରଞ୍ଜନ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଓଡିଶାର ପିପିଲିର କାରୁକାର୍ଯ୍ୟପୂର୍ଣ୍ଣ ଚାନ୍ଦୁଆ ଉପହାର ଦେଇଛନ୍ତି । ଏହି ସମ୍ମିଳନୀରେ ଦକ୍ଷିଣ ଏସିଆ ମୈତ୍ରୀ ସଂଗଠନର ସଭାପତି ଶ୍ରୀଯୁକ୍ତ ସତ୍ୟ ପାଲ, ଉପସଭାପତି ଶ୍ରୀଯୁକ୍ତ ଭଟ୍ଟି ସାହେବ ଓ ରାଷ୍ଟ୍ରୀୁୟ ସଂପାଦକ ଶ୍ରୀଯୁକ୍ତ ଦିପକ୍ ମାଲବ୍ୟ ଉପସ୍ଥିତ ରହି ନୃତ୍ୟଶିଳ୍ପୀଙ୍କୁ ଦୁଇ ଦଶନ୍ଧି ଧରି ଓଡିଆ ଅଧ୍ୟାପନା ଓ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର କରି ଆସୁଥିବାରୁ ଭୂୟସୀ ପ୍ରଶଂସା ଓ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।