ବିଜେପିକୁ ମଜବୁତ କରିବାକୁ କଂଗ୍ରେସ ତତ୍ପର: ବିଜେଡି

ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ କରିବାକୁ ଶରତ ବ୍ୟାକୁଳ: ତୁମ୍ବନାଥ

କଂଗ୍ରେସକୁ ଶେଷ କରିବାକୁ ଶପଥ ନେଇଥିଲେ ସୌମ୍ୟ

ଭୁବନେଶ୍ୱର, ୦୮/୦୯/୨୦୨୩: ରାଜନୈତିକ ଦଳରେ ଦେଖାଦେଉଛି ତୁମ୍ବି ତୋଫାନ । ନିକଟରେ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ନେଇ ଦଳ ଉପରେ ଟାର୍ଗେଟ କରିଥିଲେ । ଯାହାକୁ ନେଇ ବିଜେଡି ପ୍ରତିକ୍ରିୟାଶୀଳ ହୋଇଥିବା ବେଳେ କଂଗ୍ରେସ ସୌମ୍ୟଙ୍କୁ ତାଙ୍କ ଦଳକୁ ସ୍ୱାଗତ କରିଛି । ଯାହା ପରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯେତେବେଳେ ମୁଁ ଶୁଣିଲି ଓଡିଶା କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଫେରିଲେ ତାଙ୍କୁ ସ୍ୱାଗତ କରିବେ ବୋଲି କହିଲେ ସେତେବେଳେ ମୋତେ ଜୋରରେ ହସ ଲାଗିଲା । କାରଣ ମୁଁ କଂଗ୍ରେସ ଦଳରେ ଥିଲି ଏବଂ ଜାଣିଛି ଯେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ସେତେବେଳେ କଂଗ୍ରେସରେ ଥାଇ କିଭଳି କାର‌୍ୟ୍ୟ କରୁଥିଲେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।
ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଏଥିରୁ ଜଣାପଡୁଛି ଯେ ଶ୍ରୀ ଶରତ ପଟ୍ଟନାୟକ ଭୁଲି ଯାଇଛନ୍ତି, ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପୂର୍ବରୁ ଦୁଇ ଦୁଇ ଥର ଯୋଗ ଦେଇ କଂଗ୍ରେସ ଛାଡିଛନ୍ତି ଏବଂ ଗତଥର ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । ଏହା ପରେ ସେ ଓଡିଶାରେ କଂଗ୍ରେସକୁ ଶେଷ କରିବାକୁ ଶପଥ ନେଇଥିଲେ ।
ବର୍ତ୍ତମାନ ଶ୍ରୀ ଶରତ ପଟ୍ଟନାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସକୁ ସ୍ୱାଗତ କରିବା ସୂଚାଇ ଦେଇଛି ଯେ ଓଡିଶାରେ କଂଗ୍ରେସକୁ ଶେଷ କରିବା ଏବଂ ବିଜେପିକୁ ମଜବୁତ କରିବା ପାଇଁ ଉଭୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।