ଶେଷ ପର୍ଯ୍ୟାୟରେ ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି

ଜି-୨୦ ଶିଖର ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଦେଖନ୍ତୁ କିଏ ଯୋଗ ଦେବେ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଶ୍ୱର କିଛି ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ନେତା ଚଳିତ ସପ୍ତାହରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଆସି ଏକାଠି ହେବେ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ଅନ୍ୟ ରାଷ୍ଟ୍ରମୁଖ୍ୟମାନେ ବର୍ଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସମାବେଶରେ ଭୂ-ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ଖାଦ୍ୟ ଏବଂ ଶକ୍ତି ଦର ବୃଦ୍ଧି ଉପରେ ଆଲୋଚନା କରିବେ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଶ୍ଚିତ କରିଛନ୍ତି ଯେ ସେ ନୂଆଦିଲ୍ଲୀ ଆସିବେ ଏବଂ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ୟୁକ୍ରେନରେ ଯୁଦ୍ଧର ସାମାଜିକ ପ୍ରଭାବ, ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼ିବା ପାଇଁ ବହୁପକ୍ଷୀୟ ବ୍ୟାଙ୍କଗୁଡିକର କ୍ଷମତା ବୃଦ୍ଧି ଉପରେ ବାଇଡେନ୍ ଆଲୋଚନା କରିବାକୁ ଚାହୁଁଛନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କର ପ୍ରଥମ ଭାରତ ଗସ୍ତରେ ନୂଆଦିଲ୍ଲୀରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗ ଦେବେ ।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ତାଙ୍କ ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି ଏବଂ ୟୁକ୍ରେନରେ ଯୁଦ୍ଧ ପାଇଁ ରୁଷ୍ ବିରୋଧରେ ସମାଲୋଚନାର ନେତୃତ୍ୱ ନେବାର ସମ୍ଭାବନା ରହିଛି।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ଇଣ୍ଡୋନେସିଆରେ ଅଛନ୍ତି, କିନ୍ତୁ ଜି-୨୦ ଶିଖର ସମ୍ମିଳନୀ ପାଇଁ ସେପ୍ଟେମ୍ବର ୯ ଏବଂ ୧୦ ରେ ଭାରତରେ ରହିବେ ବୋଲି ତାଙ୍କ କାର୍ଯ୍ୟାଳୟ ନିଶ୍ଚିତ କରିଛି।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି ଶିଖର ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ଜର୍ମାନ ଚାନ୍ସେଲର ଓଲାଫ୍ ସ୍କୋଲଜ ନୂଆଦିଲ୍ଲୀରେ ରହିବେ ଏବଂ ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା, ତୁର୍କୀ ରାଷ୍ଟ୍ରପତି ରିସେପ୍ ତୟିପ୍ ଏର୍ଡୋଗାନ୍ ଏବଂ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ।

ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ ଚୀନର ବୈଦେଶିକ ମନ୍ତ୍ରୀ ଲି କିଆଙ୍ଗ ଦେଶର ପ୍ରତିନିଧି ଦଳର ନେତୃତ୍ୱ ନେବେ।

ରୁଷ ରାଷ୍ଟ୍ରପତିଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗ ଆଣି ଗିରଫ ପରୱାନା ଜାରି କରିଛି। ଯାହାଫଳରେ ବିଦେଶ ଯାତ୍ରା ବେଳେ ସେ ଗିରଫ ହେବାର ଆଶଙ୍କା ରହିଛି। ତେଣୁ ଭ୍ଲାଦିମିର ପୁଟିନ୍ ମଧ୍ୟ ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବେନାହିଁ, ତେଣୁ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଉପସ୍ଥିତ ରହିବେ।

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ଗୁରୁବାର ଦିନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ।

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ ନାହିଁ।

ଜି-୨୦ ସଦସ୍ୟଙ୍କ ବ୍ୟତୀତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ନିମନ୍ତ୍ରିତ ଅଣ ଜି-୨୦ ସଦସ୍ୟ ଯୋଗ ଦେବେ। ବାଂଲାଦେଶ, ନେଦରଲାଣ୍ଡ, ନାଇଜେରିଆ, ଇଜିପ୍ଟ, ମରିସସ୍, ଓମାନ, ସିଙ୍ଗାପୁର, ସ୍ପେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସର ନେତାମାନଙ୍କୁ ନିମନ୍ତ୍ରଣ କରିଛି ଭାରତ। ଏହା ସହ ଏହି ଶିଖର ସମ୍ମିଳନୀରେ ଜାତିସଂଘ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂଗଠନର ଶୀର୍ଷ ପ୍ରଶାସକମାନେ ଅଂଶଗ୍ରହଣ କରିବେ।