ଜି-୨୦ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକା

ଆଫ୍ରିକୀୟ ସଂଘ ଜି-୨୦ର ସ୍ଥାୟୀ ସଦସ୍ୟ ହୋଇଛି

ପ୍ରମୁଖ ସଦସ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୯/୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ଏକତ୍ରିତ ହୋଇଛନ୍ତି ବିଶ୍ୱ ନେତୃତ୍ୱ । ଏହା ଭିତରେ ଆଫ୍ରିକୀୟ ସଂଘ ଜି-୨୦ର ସ୍ଥାୟୀ ସଦସ୍ୟ ହୋଇଛି । ସମସ୍ତଙ୍କ ସହ ସବକା ସାଥର ଭାବନାକୁ ଦୃଷ୍ଟିରେ ରଖି ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀମ ସଦସ୍ୟତା ଦେବାକୁ ଭାରତ ପ୍ରସ୍ତାବ ଦେଇଥିଲା । ଏହି ଅବସରରେ ମୋଦି କହିଛନ୍ତି, ଆମେ ଆମର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ସଂଘର ଅଧ୍ୟକ୍ଷଙ୍କୁ ସ୍ଥାୟୀ ସଦସ୍ୟ ଭାବରେ ତାଙ୍କ ପଦ ଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଫ୍ରିକୀୟ ସଂଘର ବର୍ତମାନ ଅଧ୍ୟକ୍ଷ କୋମୋରୋସ ରାଷ୍ଟ୍ରପତି ଆଜାଲି ଅସୁମାନିଙ୍କୁ ତାଙ୍କ ଆସନକୁ ନେଇ ଯାଇଥିଲେ । ଏହା ପରେ ମୋଦି ଅସୁମାନିଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ଜୁନ ମାସରେ ମୋଦି ଜି-୨୦ ସଦସ୍ୟଙ୍କ ସମକକ୍ଷମାନଙ୍କୁ ଚିଠି ଲେଖି ଆଫ୍ରିକୀୟ ସଂଘକୁ ଏହି ଗୋଷ୍ଠୀରେ ସାମିଲ କରିବାକୁ କହିଥିଲେ । ଏହି ପ୍ରସ୍ତାବକୁ ୟୁରୋପୀୟ ସଂଘର ପ୍ରମୁଖ ସଦସ୍ୟ ସହ ଚୀନ ଓ ଋଷିଆ ମଧ୍ୟ ସମର୍ଥନ କରିଥିଲେ ।