ସୌମ୍ୟଙ୍କୁ ଶାସକର ବିରୋଧ, ବିରୋଧୀଙ୍କ ସପକ୍ଷ

ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ବିଜେଡ଼ି ସମାଲୋଚନା କରୁଥିବା ବେଳେ ବିଜେପି ଓ କଂଗ୍ରେସ ସପକ୍ଷରେ ମତ ଦେଇଛି।

ସପକ୍ଷରେ ବାହାରିଲା ବିଜେପି, କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ିର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ବିଜେଡ଼ି ବିଧାୟକ ଓ ମନ୍ତ୍ରୀମାନେ ସମାଲୋଚନା କରୁଛନ୍ତି। ପ୍ରଥମେ ନୟାଗଡ ବିଧାୟକ ଅରୁଣ ସାହୁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଏବେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି।

ଶ୍ରୀ ଦେବ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୌମ୍ୟବାବୁ ଜଣେ ଶିକ୍ଷିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମଧ୍ୟ। ମୋତେ ତାଙ୍କୁ ପରାମର୍ଶ ଦେବାର ଆବଶ୍ୟକତା ନାହିଁ। କିନ୍ତୁ ବିଜେଡିର ବିଧାୟକ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସମ୍ପର୍କରେ ସେ ତାଙ୍କ ସମ୍ପାଦକୀୟରେ କ’ଣ ଲେଖୁଛନ୍ତି ତାହା ଜାଣିବା ଦରକାର। ତାଙ୍କ ବ୍ୟକ୍ତିଗତ ସଚିବ କାହିଁକି ଲୋକଙ୍କଠାରୁ ଅଭିଯୋଗ ଆଦାୟ କରୁଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। ଏତେ ସ୍ପଷ୍ଟୀକରଣ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରିବା ଯୁକ୍ତିଯୁକ୍ତ ନୁହେଁ। ସୌମ୍ୟ ପାର୍ଟି ଭିତରେ ଥାଇ ପାର୍ଟିକୁ ସମାଲୋଚନା କରିପାରିବେ ନାହିଁ।

ଏହାରି ଭିତରେ ସୌମ୍ୟଙ୍କ ସପକ୍ଷରେ କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି ଯେ, ସତ କହିବାକୁ ସୌମ୍ୟଙ୍କ ସାହସ ଅଛି। ବିଜେଡି ନେତା ଓ କର୍ମୀଙ୍କ ଆତ୍ମସମ୍ମାନ ଥିଲେ ସୌମ୍ୟ ବାବୁଙ୍କ ସହ ଛିଡା ହୁଅନ୍ତୁ।

ସେହିପରି ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ ମଧ୍ୟ ବାହାରିଛି। କଂଗ୍ରେସ ମୁଖପାତ୍ର ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରେସମିଟ କରି ସୌମ୍ୟଙ୍କୁ ସପକ୍ଷରେ କହିଛନ୍ତି। ହିମାଳୟକୁ ଟେକା ଫିଙ୍ଗିଲେ ନିଷ୍ଫଳ ଭଳି ସୌମ୍ୟଙ୍କର କିଛି ହେବନି। ସୌମ୍ୟ ପଟ୍ଟନାୟକ କେବେ ପଦପଦବୀ ପଛରେ ଗୋଡ଼ାନ୍ତି ନାହିଁ। ଯଦି ସେପରି ହୋଇଥାନ୍ତେ ଜାନକୀ ବାବୁଙ୍କ ସମୟରେ ସବୁ ପାଇଥାନ୍ତେ। ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ବ୍ୟକ୍ତିର ଖାତାଖତିୟାନ ନାହିଁ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।