ଏବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

କ୍ରମାଗତ ଷଷ୍ଠ ଥର ଭାବେ ନିର୍ବାଚନ ବନ୍ଦ

ଭୁବନେଶ୍ୱର,୧୩/୯: ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । କ୍ରମାଗତ ଷଷ୍ଠ ଥର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୩-୨୪ ଏକାଡେମିକ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ବିଷୟରେ କିଛି ବି ଉଲ୍ଲେଖ ନାହିଁ ।
ପିଟିସିର ଉପନିର୍ଦ୍ଦେଶକ ଓଇଏସ-୧ ରଜତ କୁମାର ମାନସିଂହଙ୍କ ଦ୍ୱାରା ଜାରି ଚିଠିରେ କୁହାଯାଇଛି ଯେ, ଚଳିତ ଶିକ୍ଷାବର୍ଷରେ ସର୍ବନିମ୍ନ ୧୮୦ଟି ଶିକ୍ଷାଦାନ ଦିବସ ରହିଥିବା ବେଳେ ରବିବାରକୁ ବାଦ ଦେଲେ ସମୁଦାୟ ୭୨ ଦିନ ଶିକ୍ଷାଦାନ ଦିବସ ରହିଛି । ୨୦୨୪ ମେ ୫ରୁ ୨୦୨୪ ଜୁନ ୧୯ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ସାଧାରଣ ଶିକ୍ଷା କ୍ୟାଲେଣ୍ଡରକୁ କଡାକଡି ଭାବେ ପାଳନ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ସରକାରୀ/ସ୍ୱୟଂଶାସିତ/ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୧୮ ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ୨୦୧୮ରେ ବାତ୍ୟା ତିତଲି, ୨୦୧୯ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ନିର୍ବାଚନ ବନ୍ଦ ରହିଥିବା ବେଳେ ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ଓ ଲକଡାଉନକୁ ଦୃଷ୍ଟିରେ ରଖି ନିର୍ବାଚନ ବନ୍ଦ ରହିଥିଲା ଏବଂ ୨୦୨୨ରେ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତ ସେପ୍ଟେମ୍ବର ୫ ତାରିଖରେ କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଂଟ୍ସ ୟୁନିୟନ ଅଫ ଇଣ୍ଡିଆ ତରଫରୁ ନିର୍ବାଚନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।