ବ୍ୟାପୁଛି ସ୍କ୍ରବ ଟାଇଫସ

ରାଜ୍ୟରେ ମାରାତ୍ମକ ଭାବେ ବ୍ୟାପୁଥିବା ସ୍କ୍ରବ ଟାଇଫସରେ ଏଯାଏ ୫ ଜଣଙ୍କର ମୃତ୍ୟୁ ଘଟିଲାଣି ।

ସ୍କ୍ରବ ଟାଇଫସ ସଂକ୍ରମଣ କ’ଣ?

ଭୁବନେଶ୍ୱର,୧୪/୦୯: ଓଡିଶାରେ ମାରାତ୍ମକ ଭାବେ ବ୍ୟାପୁଛି ସ୍କ୍ରବ ଟାଇଫସ । ଏଯାଏ ଓଡିଶାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ମୋଟ ୫ ଜଣଙ୍କ ମଧ୍ୟରୁ ସୋହେଲା ବ୍ଲକରୁ ୨ ଜଣ, ଅତାବିରା, ଭେଡେନ ଓ ବରପାଲି ବ୍ଲକର ଜଣେ ଲେଖାଏଁ ଅଛନ୍ତି । ଏହା ସହ ଆହୁରି ୪ ଜଣ ବୀର ସୁରେନ୍ଦ୍ର ସାଏ ହସ୍ପିଟାଲ, ବରଗଡର ବିକାଶ ହସ୍ପିଟାଲ ଏବଂ ବଲାଙ୍ଗୀରର ଏକ ଘରୋଇ କ୍ଲିନିକରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ୨୦୧୪ ମସିହାରେ ବି ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବ୍ୟାପିଥିଲେ ବି କେହି ମୃତାହତ ହୋଇନଥିଲେ ।


ସ୍କ୍ରବ ଟାଇଫସ ସଂକ୍ରମଣ କ’ଣ?
୧. ସ୍କ୍ରବ ଟାଇଫସ ଏକ ସଂକ୍ରମକ ରୋଗ ଯାହା ଓରିଏଂଟିଆ ସୁତସୁଗାମୁସି ନାମକ ଜୀବାଣୁ ଦ୍ୱାରା ବ୍ୟାପିଥାଏ । ଏହି ସଂକ୍ରମଣ ଏକ ଲାର୍ଭା ମାଇଟ କାମୁଡିବା ଦ୍ୱାରା ହୋଇଥାଏ, ଯାହା ମୁଖ୍ୟତଃ ଚାଷ ଜମି, ଜଙ୍ଗଲ, ଗାଁ ପୋଖରୀ, ଘାସ, ବୁଦା, ଏବଂ ମୂଷା, କୁକୁଡା, ଠେକୁଆ ଓ ଗୁଣ୍ଡୁଚିମୂଷା ପରି ପଶୁମାନଙ୍କ ପାଖରେ ଦେଖାଯାଉଥିବା ପୋକ ମଣିଷ ସଂସ୍ପର୍ଶରେ ଆସିଥାଏ ।
୨. ଏହି ସଂକ୍ରମଣର ଲକ୍ଷ୍ୟ ହେଲା: ପ୍ରବଳ ଜ୍ୱର, ଥଣ୍ଡା, ପ୍ରବଳ ମୁଣ୍ଡବିନ୍ଧା, ଶୁଖିଲା କାଶ, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଚିଗର କାମୁଡିବା ସ୍ଥାନରେ ଗାଢ କ୍ଷତ, ଲିମ୍ଫ ନୋଡ୍ ବଢିବା, ଶରୀରରେ ଲାଲ ଦାଗ ହେବା, ଆଖି ନାଲି ପଡିବା, କୋମା ଓ ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନାଲ ଭଳି ଲକ୍ଷଣ ଦେଖାଯାଇଥାଏ ।
୩. ବିଶେଷଜ୍ଞଙ୍କ କହିବାନୁସାରେ, ସଂକ୍ରମିତ ହେବାର ପ୍ରାୟ ୧୦ ଦିନ ପରେ ଲକ୍ଷଣ ଆରମ୍ଭ ହୋଇଥାଏ । ଯଦି ଏହି ରୋଗର ଚିକିତ୍ସା କରାନଯାଏ, ତାହାଲେ ଏହା ଜୀବନ ଘାତକ ହୋଇପାରେ ।
୪. ଘାସ ପଡିଆରେ କାମ କରୁଥିବା ବ୍ୟକ୍ତିମାନେ ଏହି ସଂକ୍ରମଣର ଶିକାର ଅତ୍ୟଧିକ ମାତ୍ରାରେ ହୋଇଥାନ୍ତି । ତେଣୁ ସ୍ୱଚ୍ଛତା ବଜାୟ ରଖିବା ଉପରେ ଧ୍ୟାନ ଦେବା ଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା କରାଯାଇପାରିବ ।