ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ଚେତାବନୀ

ଆନ୍ଦୋଳନରତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଓଡିଶା ସରକାର ଚେତାବନୀ ଦେଇଛନ୍ତି ।

ସ୍କୁଲରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୪/୦୯: ରାଜ୍ୟରେ ସ୍କୁଲ ଶିକ୍ଷକଙ୍କ କ୍ଷେତ୍ରରେ ହୋଇଥିବା ଚୁକ୍ତିଭିତିକ ନିଯୁକ୍ତିକୁ ଉଚ୍ଛେଦ ଦାବି, ପ୍ରାଥମିକ କ୍ୟାଡରରେ ପୂର୍ବତନ କ୍ୟାଡରଶିକ୍ଷକଙ୍କୁ ଅନ୍ତର୍ଭୂକ୍ତ କରିବା, ଗ୍ରେଡ ପେ ବୃଦ୍ଧି କରିବା, କଳା ଓ ପିଇଟି ଶିକ୍ଷକଙ୍କ ପାଇଁ ସର୍ଭିସ କ୍ୟାଡର ଗଠନ କରିବା ଏବଂ ଖାଲି ପଡିଥିବା ପଦବୀ ପୂରଣ ଓ ପେନସନ ବ୍ୟବସ୍ଥା ଲାଗୁ କରିବା ନେଇ କିଛି ଦିନ ହେବ ପ୍ରାଥମିକ ଶିକ୍ଷକମାନେ ଅନ୍ଦୋଳନ କରି ଆସୁଛନ୍ତି । ଆନ୍ଦୋଳନ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ବ୍ୟାଘାତ ସୃଷ୍ଟି ହେଉଛି ।
ଏ ନେଇ ଆନ୍ଦୋଳନରତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଓଡିଶା ସରକାର ଚେତାବନୀ ଦେଇଛନ୍ତି । ରାଜ୍ୟର ସମସ୍ତ ଡିଇଓ ଓ ବିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ଶିକ୍ଷକ ନିଜ ଦକ୍ଷ କର୍ତୃପକ୍ଷଙ୍କଠାରୁ ଅନୁମତି ନ ଆଣି ଧର୍ମଘଟରେ ଭାଗ ନେଇଛନ୍ତି, ଯାହାକୁ ଘୋର ଅସଦାଚରଣ । ଗୋଟିଏ ଶିକ୍ଷାବର୍ଷରେ ୨୨୦ଟି କାର୍ଯ୍ୟ ଦିବସ ରହିଥାଏ, ଯାହାକି ସ୍କୁଲ ଆସିବା ବାଧ୍ୟତାମୂଳକ । ଯଦି ଏହା ପୂରଣ ନହୁଏ, ତାହାଲେ ପରବର୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ । ଶିକ୍ଷକଙ୍କ ଦାବି ସମ୍ପର୍କରେ ଉଚ୍ଚସ୍ତରୀୟ କର୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି । ଏ ନେଇ ସରକାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରିଛନ୍ତି । ଶିକ୍ଷକ ସଂଘର କର୍ମକର୍ତାଙ୍କ ସହ ଆଲୋଚନା ପରେ କମିଟି ଚୂଡାନ୍ତ ନିଷ୍ପତି ନେବ ।