ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ସସ୍ମିତ ପାତ୍ରଙ୍କ ଦାବି

ଡ. ସସ୍ମିତ ପାତ୍ର ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି ।

ସ୍ୱତନ୍ତ୍ର ଅଧିବେଶନରେ ବିଜେଡି ସାଂସଦଙ୍କ ଅଧ୍ୟକ୍ଷତା

ନୂଆଦିଲ୍ଲୀ,୧୮/୦୯: ଆଜି ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ରାଜ୍ୟସଭାର ମାନ୍ୟବର ଅଧ୍ୟକ୍ଷ ବିଜେଡି ସାଂସଦ ଶ୍ରୀମତୀ ମମତା ମହାନ୍ତିଙ୍କୁ ବିଜେଡିରୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବା ପରେ ସେ ଆଜି ଅଧ୍ୟକ୍ଷତା କରିଛନ୍ତି। ଏହା ସହ ଚଳିତ ସଂସଦ ଭବନର ଶେଷ କାର‌୍ୟ୍ୟଦିବସରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି। ସଂସଦର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ କାର‌୍ୟ୍ୟ ଅସମ୍ପୂର୍ଣ୍ଣ ରହିଛି ଏବଂ ତାହା ହେଉଛି ମହିଳା ସଂରକ୍ଷଣ ବିଲ୍ ଏବଂ ଏହାକୁ ଆସନ୍ତାକାଲିଠାରୁ କାର‌୍ୟ୍ୟକାରୀ ହେବାକୁ ଥିବା ନୂଆ ସଂସଦ ଭବନରେ ପ୍ରଥମ ଆଇନ ଭାବେ ପାରିତ କରିବା ପାଇଁ ମହିଳା ସଂରକ୍ଷଣ ବିଲ୍ ଉପରେ ଶପଥ ନେବାକୁ ସେ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ, ୧୯୬୬, ୧୯୯୮ ଓ ୧୯୯୯ରେ ଲଗାତାର ଭାବେ ଆସିଥିବା ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇପାରିନଥିଲା । ପୁଣି ୯ ମାର୍ଚ୍ଚ ୨୦୧୦ରେ ଆଉ ଏକ ମହିଳା ସଂରକ୍ଷଣ ବିଲ୍ ଆସିଥିଲା, ଯାହାକି ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ପାରିତ ହୋଇ ପାରିନଥିଲା, ଯେଉଁଥିରେ ମହିଳାଙ୍କୁ ୩୩% ସଂରକ୍ଷଣ ଦରକାର ବୋଲି ଉଲ୍ଲେଖ ଥିଲା । ଯଦି ଏହି ବିଲ୍ ପାରିତ ହୋଇ ଯାଇଥାନ୍ତା, ତାହାଲେ ୭୫ ବର୍ଷ ସମ୍ପୂର୍ଣ୍ଣ ଲାଗିଥାନ୍ତା ବୋଲି ଡ଼ ପାତ୍ର କହିଛନ୍ତି ।