ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି।

ତଦନ୍ତ ଜାରି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ହତ୍ୟା ଧମକ। ଶ୍ରୀ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଓଡ଼ିଶାର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଯେମିତି ହୋଇଥିଲା, ତାଙ୍କ ସହ ସେମିତି ହେବ ବୋଲି କେହି ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଚେତାବନୀ ଦେଇଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ଅଫିସରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟ ପଣ୍ଡା(ବୈଜୟନ୍ତ)ଙ୍କ ଜଣେ ସହାୟକଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା, ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ଜଣକ ଧମକ ଦେଇଥିଲେ ଯେ ଗତ ଜାନୁଆରୀ ୨୯ରେ ନବ ଦାସଙ୍କ ସହ ଯେମିତି ହୋଇଛି, ଜୟ ପଣ୍ଡାଙ୍କ ସହ ସେମିତି କରାଯିବ। ତେବେ କେହି ଥଟ୍ଟାରେ ଏପରି କଲ କରିଛନ୍ତି କି ପ୍ରକୃତରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ତାହା ଜଣା ପଡିନାହିଁ। ଏହି ଧମକପୂର୍ଣ୍ଣ କଲର ସମସ୍ତ ବିବରଣୀ ସହ ଗତକାଲି ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ କରାଯାଉଛି।