ପ୍ରଖ୍ୟାତ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଦେହାନ୍ତ

ପ୍ରଖ୍ୟାତ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଭାରତର ସବୁଜ ବିପ୍ଲବର ଜନକ ଭାବେ ପରିଚିତ ଥିଲେ

ଚେନ୍ନାଇ: ଭାରତର ସବୁଜ ବିପ୍ଳବର ଜନକ ତଥା ପ୍ରଖ୍ୟାତ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ପରଲୋକ ଘଟିଛି । ଚେନ୍ନାଇରେ ଆଜି ୧୧.୩୦ରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସ୍ୱାମୀନାଥନ ଉଚ୍ଚ ଉତ୍ପାଦନକାରୀ ପ୍ରଜାତିର ଧାନ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା ଭାରତର ନିମ୍ନ ଆୟକାରୀ କୃଷକମାନଙ୍କୁ ଅଧିକ ଅମଳ ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥିଲା ।
ସ୍ୱାମୀନାଥନ ନିଜ କାର୍ଯ୍ୟକାଳ ସମୟରେ ବିଭିନ୍ନ ବିଭାଗର ପଦବୀ ପଦବୀରେ କାର୍ଯ୍ୟ କରିଥିଲେ । ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ(୧୯୬୧-୭୨), ଆଇସିଏଆରର ମହାନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ କୃଷି ଗବେଷଣା ଶିକ୍ଷା ବିଭାଗ(୧୯୭୨-୭୯), କୃଷି ମନ୍ତ୍ରଣାଳୟର ପ୍ରମୁଖ ସଚିବ (୧୯୭୯-୮୦), କାର୍ଯ୍ୟକାରୀ ଉପାଧ୍ୟକ୍ଷ ଏବଂ ପରେ ବିଜ୍ଞାନ ଓ କୃଷି ବିଭାଗର ସଦସ୍ୟ, ଯୋଜନା ଆୟୋଗ(୧୯୮୦-୮୨) ଏବଂ ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ (୧୯୮୨-୮୮) ଏବଂ ଜାତୀୟ ଜୃଷକ ଆୟୋଗର ଅଧ୍ୟକ୍ଷ (୨୦୦୪) ଭାବେ ନିଯୁକ୍ତ ହୋଇଥିଲେ । ଏହାବ୍ୟତୀତ ଶ୍ରୀ ସ୍ୱାମୀନାଥନ ଚେନ୍ନାଇର ତାରାମଣିଠାରେ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ (ଏମଏସଏସଆରଏଫ) ପ୍ରତିଷ୍ଠା କରିଥିଲେ ।
ସ୍ୱାମୀନାଥନ ତାଙ୍କ ଜୀବନକାଳ ମଧ୍ୟରେ ବହୁ ପୁରସ୍କାର ଅଧିକାର କରିଥିଲେ । ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାସହ ଏଚକେ ଫିରୋଡିଆ ପୁରସ୍କାର, ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପୁରସ୍କାର ଏବଂ ଇନ୍ଦିରା ଗାନ୍ଧୀ ପୁରସ୍କାର, ୧୯୭୧ରେ ରାମନ ମ୍ୟାଗସେସେ ପୁରସ୍କାର, ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ ବିଶ୍ୱ ବିଜ୍ଞାନ ପୁରସ୍କାର ଏବଂ ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପ୍ରାପ୍ତ କରିଥିଲେ ।