ବଢୁଛି କରୋନା, ଫେରୁଛି କଟକଣା: ରାଉରକେଲାରେ ମାସ୍କ ହେଲା ବାଧ୍ୟତାମୂଳକ

ରାଉରକେଲା: ଶେଷରେ ଚେତିଛି ରାଉରକେଲା ପ୍ରଶାସନ। ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସଠିକ୍ ଭାବେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ଆଜି ଆର୍‌ଏମ୍‌ସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସହରରେ ବସବାସ କରୁଥିବା ଏବଂ ବିଭିନ୍ନ କାମରେ ବାହାରୁ ଆସୁଥିବା ଜନସାଧାରଣ ନାକ, ପାଟିକୁ ଭଲଭାବେ ଘୋଡ଼ାଇ ମାସ୍କ ପିନ୍ଧିବାକୁ ନିଗମ ପକ୍ଷରୁ କୁହାଯାଇଛି।

ସେହିଭଳି ସହରରେ ଥିବା ବିଭିନ୍ନ ଦୋକାନ, ସପିଂ ମଲ ସହିତ ପେଟ୍ରୋଲ ଟାଙ୍କିଗୁଡ଼ିକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଯେଉଁ ଗ୍ରାହକମାନେ ଆସିବେ ସେମାନଙ୍କୁ ଦୋକାନୀ କୌଣସି ଜିନିଷ ବିକ୍ରି କରିବେ ନାହିଁ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହାସହ ସାଧାରଣ ଲୋକଙ୍କ ସୂଚନା ପାଇଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବା ଦୋକାନ ଆଗରେ ନୋ ମାସ୍କ ନୋ ଏଣ୍ଟ୍ରି ଏବଂ ନୋ ମାସ୍କ ନୋ ଗୁଡ୍ସ’ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।