ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର, ଆଜି ଜେଲ୍‌ ଗଲେ

କଟକ: ଲାଞ୍ଚ ନେଉଥିବା ସମୟରେ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭିଜିଲାନ୍ସ । ଏହା ପୂର୍ବରୁ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ମାରାଥନ ଜେରା କରିଥିଲା ଭିଜିଲାନ୍ସ ଟିମ । ଢେଙ୍କାନାଳର ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକଙ୍କ କିଛି ଦିନ ତଳେ ମୃତ୍ୟୁ ଘଟିଥିଲା ।

ପୂର୍ବରୁ ତାଙ୍କ ସ୍ବାମୀ ଚାଲିଯାଇଥିବା ବେଳେ ନନ୍ଦନୀଙ୍କ ମୃତ୍ୟୁ ପରେ ସେ କରିଥିବା ବିମା ବାବଦକୁ ୧୧ ଲକ୍ଷ ଟଙ୍କା ତାଙ୍କର ୮ ବର୍ଷୀୟା ବାଳିକାକୁ ମିଳିବା କଥା । ନନ୍ଦିନୀଙ୍କ ମୃତ୍ୟୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ବେଳେ ତାଙ୍କ ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରିବା ପାଇଁ ବୀମା ମୂଲ୍ୟର ୧୦ ପ୍ରତିଶତ ଦାବି କରିଥିଲେ ଉମାକାନ୍ତ ।

ଟଙ୍କା ନେବା ସମୟରେ ଭିଜିଲାନ୍ସ ଉମାକାନ୍ତଙ୍କୁ ଧରିଥିଲା । ବଡ଼ କଥା ହେଉଛି ରଙ୍ଗିଲା ସ୍ବାଭାବ ରଖୁଥିବା ଉମାକାନ୍ତ ଅଭିନୟ ପ୍ରେମରେ ପଡ଼ିଥିଲେ । ଏବଂ ନୃତ୍ୟ ଗୀତ ସମ୍ପର୍କିତ ବିଭିନ୍ନ ଭିଡ଼ିଓ ପ୍ରସ୍ତୁତ କରି ସେଗୁଡ଼ିକୁ ନିଜସ୍ବ ୟୁ-ଟ୍ୟୁବ ଚାନେଲରେ ପୋଷ୍ଟ କରୁଥିଲେ ।