ଓଡ଼ିଶାରୁ ଚାଲାଣ ହେଉଛି ସାପ ବିଷ: ମାନେକା ଗାନ୍ଧୀ

ବିଗ-ବସ ଓଟିଟି ୱିନର ଏଲଭିଶ ଯାଦବ ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ବିଗ-ବସ ଓଟିଟି ୱିନର ଏଲଭିଶ ଯାଦବଙ୍କ ନାଁରେ ମାମଲା

ନୂଆଦିଲ୍ଲୀ, ୦୩.୧୧: ଜଣାଶୁଣା ୟୁଟ୍ୟୁବର ତଥା ବିଗ-ବସ ଓଟିଟି ୱିନର ଏଲଭିଶ ଯାଦବ ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପିପୁଲ ଫର୍‌ ଆନିମଲ୍ ପ୍ରତିଷ୍ଠାତା ମାନେକା ଗାନ୍ଧୀ। ମାନେକା ଗାନ୍ଧୀଙ୍କ ଏନଜିଓ ନୋଏଡା ପୋଲିସ ଷ୍ଟେସନରେ ଏ ନେଇ ଏକ ମାମଲା ରୁଜୁ କରିଛି।

ବିଜେପି ସାଂସଦ ମେନକା ଗାନ୍ଧି ଏକ ବିବୃତି ଜାରି କରି କହିଛନ୍ତି, ଏହା ଏକ ଗ୍ରେଡ୍ ୧ ବନ୍ୟଜନ୍ତୁ ଅପରାଧ, ଯେଉଁଥିପାଇଁ ୭ ବର୍ଷ ଜେଲ ମଧ୍ୟ ଭୋଗିବାକୁ ପଡେ। କୋବ୍ରା ସାପ ଦେହରୁ ବିଷ ବାହାର କଲେ ସାପର ମୃତ୍ୟୁ ହୋଇଥାଏ। ଏମାନଙ୍କର ବିଷ ଖାଦ୍ୟ ହଜମ କରିବା ପାଇଁ ହୋଇଥାଏ। ବିଷ ବିନା ସେମାନେ କିଛି ଖାଇ ପାରନ୍ତି ନାହିଁ ଯାହା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥାଏ। ଦେଶରେ ବହୁତ କମ୍ କୋବ୍ରା ଓ ଅଜଗର ଅଛନ୍ତି।

ସେହିପରି ରେଭ୍‌ ପାର୍ଟିରେ ସାପ ବିଷ ପ୍ରସଙ୍ଗରେ ଗଣମାଧ୍ୟମରେ ମାନେକା ଓଡ଼ିଶା ବନ ବିଭାଗ ଉପରେ ପ୍ରବଳ ବର୍ଷିଛନ୍ତି। ମାନେକା ଗାନ୍ଧି କହିଛନ୍ତି, ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ବି ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି। ଓଡ଼ିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବା ସୂଚନା ମଧ୍ୟ ମିଳିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ବନ ବିଭାଗ ପୂରା ଫେଲ୍‌, କୌଣସି ବି ପଦକ୍ଷେପ ଗ୍ରହଣ କରୁନି।