ନିମ୍ନ ସ୍ତରରେ ରାଜଧାନୀର ବାୟୁର ଗୁଣବତ୍ତା

ରାଜଧାନୀ ଭୁବନେଶ୍ୱରରେ ବାୟୁର ଗୁଣବତ୍ତାରେ ଦୀପାବଳୀ ପରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳିଛି।

ଦୀପାବଳୀ ପରେ ବାୟୁ ପ୍ରଦୂଷଣ

ଭୁବନେଶ୍ବର, ୧୩/୧୧/୨୩: ଦେଶରେ ବାୟୁର ଗୁଣବତ୍ତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଗତ କିଛି ଦିନ ତଳେ ବାୟୁ ଗୁଣବତ୍ତା ସୂଚକାଙ୍କରେ ଜାତୀୟ ରାଜଧାନୀ ଦିଲ୍ଲୀକୁ ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ଭାବେ ରିପୋର୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଦୀପାବଳୀରେ ବାଣ ବ୍ୟବହାର ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଥିବା ବେଳେ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ସବୁଜ ବାଣକୁ ନେଇ ଗାଇଡଲାଇନ୍ ଜାରି କରିଥିଲେ ମଧ୍ୟ ପ୍ରଦୂଷଣ ରୋକିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିବା ଜଣାପଡିଛି। ରବିବାର ଦୀପାବଳି ପାଳନ ପରେ ବାୟୁର ଗୁଣବତ୍ତା ଆହୁରି ନିମ୍ନକୁ ଖସି ଆସିଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାୟୁର ଗୁଣବତ୍ତାରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳିଛି।

ଦୀପାବଳି ପୂର୍ବରୁ ଭୁବନେଶ୍ୱରରେ ହାରାହାରି ଦୈନିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଏବଂ ପିଏମ୍ ୨.୫ ଏବଂ ପିଏମ୍ ୧୦ ସ୍ତର ମଧ୍ୟମ ସୀମା ମଧ୍ୟରେ ଥିଲା। ୨୦୨୩ ଏପ୍ରିଲରେ ଭୁବନେଶ୍ୱରରେ ଏକ୍ୟୁଆଇ ୮୦ ଥିବା ବେଳେ ରବିବାର ଏହା ୧୪୨କୁ ବୃଦ୍ଧି ପାଇଛି।

ଭୁବନେଶ୍ୱରରେ ନଭେମ୍ବର ୧ରୁ ୪ ମଧ୍ୟରେ ଏକ୍ୟୁଆଇ ୧୦୩ରୁ ୧୩୦ ମଧ୍ୟରେ ରହିଥିଲା। ନଭେମ୍ବର ୧ତାରିଖରେ ଚନ୍ଦ୍ରଶେଖରପୁରଠାରେ ପିଏମ୍ ୧୦ (୧୦ ମାଇକ୍ରୋମିଟର ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ କଣିକା) ୧୪୫ମିଗ୍ରା/ମି୩, ନଭେମ୍ବର ୨ତାରିଖରେ ୟୁନିଟ୍-୮ସ୍ଥିତ ଓଏସ୍ପିସିବିର ମନିଟରିଂ ଷ୍ଟେସନରେ ୧୦୪ ମିଗ୍ରା/ମି୩ ଏବଂ ନଭେମ୍ବର ୩ତାରିଖରେ ଖଣ୍ଡଗିରିରେ ୧୪୦ ମିଗ୍ରା/ମି୩ ଓ ପଳାସୁଣୀରେ ୧୦୧ ମିଗ୍ରା/ମି୩ ରହିଥିଲା। ଗତ ନଭେମ୍ବର ୪ ତାରିଖରେ କ୍ୟାପିଟାଲ ଥାନା ଅଞ୍ଚଳ ଓ ଆଇଆରସି ଭିଲେଜରେ ଏହା ଯଥାକ୍ରମେ ୧୨୪ ମିଗ୍ରା/ମି୩ ଓ ୧୨୧ ମିଗ୍ରା/ମି୩ ଥିବା ଜଣାପଡ଼ିଥିଲା।

ତେବେ ସବୁ ନିୟମ ଉଲ୍ଲଂଘନ କରି ବାଣ ଫୁଟା ଯାଇଥିବାରୁ ରବିବାର ସନ୍ଧ୍ୟା ପରେ ଏକ୍ୟୁଆଇ ବହୁତ ହ୍ରାସ ପାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁଯାୟୀ, ନଭେମ୍ବର ୧୨ ତାରିଖରେ ଓଡ଼ିଶାର ୫ଟି ପ୍ରମୁଖ ସହରରେ ଏକ୍ୟୁଆଇ:

ଭୁବନେଶ୍ୱର: ‘ନିମ୍ନ ‘

କଟକ: ‘ନିମ୍ନ’

ବାଲେଶ୍ୱର: ‘ନିମ୍ନ’

ଅନୁଗୁଳ: ‘ନିମ୍ନ’

କେନ୍ଦୁଝର: ‘ମଧ୍ୟମ’

ରାଉରକେଲା: ‘ମଧ୍ୟମ’