ଅନ୍ଧାରୀ ମୂଲକରୁ ଫେରିଲା ଜୀବନ

ଉତ୍ତରକାଶୀ ଟନେଲରୁ ସମସ୍ତ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ଅପରେସନ ଟନେଲ ସଫଳ

ନୂଆଦିଲ୍ଲୀ, ୨୮/୧୧/୨୩: ଶେଷରେ ଜିତିଲା ଜୀବନ। ଦୃଢ ମନୋବଳ ଓ ସାହସିକତା ଆଗରେ ହାର ମାନିଲା ସଂଘର୍ଷ। ଅନ୍ଧାରୀ ମୂଲକରୁ ବାହାରି ସଂଘର୍ଷମୟ ଜୀବନ ଆଜି ବାଜି ମାରି ନେଇଛି। ଆଉ ୧୭ ଦିନ ପରେ ଆଲୋକ ଦେଖିଛି ପ୍ରତିଟି ଜୀବନ। ୧୭ ଦିନର ପ୍ରତିଟି ମିନିଟରେ ଜୀବନ ବଞ୍ଚାଇବା ଓ ସୁରକ୍ଷା କରିବା ପାଇଁ ଚାଲିଥିଲା ଘମାଘୋଟ ସଂଘର୍ଷ। ଏହି କଥା ଆମେ ନୁହେଁ, ବରଂ ଜୀବନର ପ୍ରତିଟି ମୁହୂର୍ତ୍ତକୁ ବାଜିରେ ଲଗାଇ ୧୭ ଦିନ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ୪୧ ଜଣ ଶ୍ରମିକଙ୍କ ପରିବାରବର୍ଗ ଓ ଦେଶବାସୀ କହିଛନ୍ତି।

ଆଜି ସଫଳ ହେଲା ଅପରେସନ ଟନେଲ। ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀରେ ନିର୍ମିତ ଟନେଲରେ ଦୀର୍ଘ ୧୭ ଦିନ ଧରି ପାହାଡ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇଛି। ୪୦୦ ଘଣ୍ଟାରୁ ଅଧିକ ସମୟର ଅପରେସନ୍ ଆଜି ସଫଳ ହୋଇଛି। ପ୍ରତି ୧୫ ମିନିଟ୍‌ରେ ୪ ଜଣ ଲେଖାଏଁ ଶ୍ରମିକ ଟନେଲ ବାହାରକୁ ଆସିଛନ୍ତି। ଫସିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଓଡିଶାର ମଧ୍ୟ ଥିଲେ। ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ଓ ନବରଙ୍ଗପୁର ଜିଲ୍ଲାର ଭଗବାନ ଭଦ୍ରା ପ୍ରମୁଖ ରହିଛନ୍ତି। ସଂଧ୍ୟା ୭ଟା ୫ ମିନିଟରେ ଶ୍ରମିକଙ୍କ ପାଖରେ ପାଇପ୍ ପହଞ୍ଚିଥିଲା। ପରେ ଜଣଙ୍କ ପରେ ଜଣଙ୍କୁ ନେଇ ଶ୍ରମିକଙ୍କୁ ନେଇ ବାହାରିଲା ଆମ୍ବୁଲାନସ୍। ଉଦ୍ଧାର ୪୧ ଶ୍ରମିକମାନେ ସୁସ୍ଥ ଓ ସତେଜ ଥିବା ସୂଚନା ମିଳିଛି।