ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ତୀର୍ଥ ଯାତ୍ରୀଙ୍କ ସହ ୩୦ ଏସକର୍ଟ ଅଫିସର ସାମିଲ

ଭୁବନେଶ୍ବର, ୦୫/୦୧/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବାଲେଶ୍ୱରରୁ ଉଜ୍ଜୈନ ଓ ଓମକାରେଶ୍ୱର ପର୍ଯ୍ୟନ୍ତ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ଅଧୀନରେ ଏକ ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ୯୭୦ ଜଣ ବରିଷ୍ଠ ନାଗରିକଙ୍କ ସହ ୩୦ ଜଣ ଏସକର୍ଟ ଅଫିସର ତୀର୍ଥଯାତ୍ରାରେ ଅଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ଯାତ୍ରା ଭଡ଼ା, ରହିବା, ଖାଦ୍ୟ, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସୁବିଧା ରାଜ୍ୟ ସରକାର ବହନ କରିବେ। ୨୦୧୬-୧୭ରେ ଆରମ୍ଭ ହୋଇଥିବା ଏହି ତୀର୍ଥ ଯାତ୍ରା ଯୋଜନାର ଚଳିତ ବର୍ଷ ହେଉଛି ଷଷ୍ଠ ପର୍ଯ୍ୟାୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଆମର ମୂଲ୍ୟବୋଧ ଏବଂ ବରିଷ୍ଠ ନାଗରିକମାନଙ୍କୁ ଏକ ପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ।

ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ବିଏନଟିୱାଇ ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ, ଅତିରିକ୍ତ ସଚିବ ବାଲମୁକୁନ୍ଦ ଭୂୟାଁ, ସହକାରୀ ନିର୍ଦେଶକ ସରୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।