୯ରେ ମାଲକାନଗିରି ବିମାନବନ୍ଦର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ।

ଆଜି ହେଲା ସଫଳ ପରୀକ୍ଷଣ

ଭୁବନେଶ୍ବର, ୦୭/୦୧/୨୪: ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ। ଉଦ୍ ଘାଟନ ପୂର୍ବରୁ ରବିବାର ବିମାନବନ୍ଦରରେ ଭିଟି-୧୦୦ ବିମାନର ପରୀକ୍ଷଣ ସଫଳ ହୋଇଛି। ପ୍ରଥମ ବିମାନ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିବା ପରେ ଅଗ୍ନିଶମ ସେବା କର୍ମଚାରୀମାନେ ଏହାକୁ ସ୍ୱାଗତ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ପରେ ବଡ଼ ବିମାନକୁ କାର୍ଯ୍ୟରେ ନିୟୋଜିତ କରାଯିବ।

୯୪.୫ ହେକ୍ଟର ଜମିରେ ନିର୍ମିତ ମାଲକାନଗିରି ବିମାନବନ୍ଦର ନିର୍ମାଣ ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାଲକାନଗିରି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି।