ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ହେବ।

ଚତୁର୍ଦିଗ ଜଗନ୍ନାଥମୟ

ପୁରୀ, ୧୭/୦୧/୨୦୨୪: ଆଜି ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶୁଭଲଗ୍ନରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଲୋକାର୍ପଣ ହେବ। ପରେ ତ୍ରିଦିନାତ୍ମକ ମହାଯଜ୍ଞରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୂତି ଦିଆଯିବ। ସକାଳ ୭ଟାରୁ ଅପରାହ୍ଣ ୧ଟା ମଧ୍ୟରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଶାଲା ପ୍ରବେଶ ଓ ପଞ୍ଚକର୍ମ ହେବ। ଏହା ସହ ରଥଯାତ୍ରା ଓ ଅନ୍ୟାନ୍ୟ ପାଇଁ ହୋଇଥିବା ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଚତୁର୍ଦିଗ ଖାଲି ଜଗନ୍ନାଥମୟ। ଏବେ ଠାରୁ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ। ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଶ୍ରୀକ୍ଷେତ୍ରରେ ପ୍ରତ୍ୟେକ ରାସ୍ତାଘାଟ, କାନ୍ଥବାଡ ଓ କୋଣ ଅନୁକୋଣ ସୁସଜ୍ଜିତ ହୋଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ, “ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ୧୦ଟାରୁ ୧୧ଟା ଭିତରେ ସବୁ ଅତିଥି ଆସି ପୁରୀରେ ପହଞ୍ଚିବେ। ଶ୍ରୀମାର୍ଗ ଦେଇ ଆସି ଶ୍ରୀମନ୍ଦିର ପାଖରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିବେ।”