ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡ଼ା ନିଶାନା

ଧର୍ମେନ୍ଦ୍ର କହିଲେ, ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ। ପ୍ରଣବ କହିଲେ, ଧର୍ମେନ୍ଦ୍ର ନିଜ ଜିଲ୍ଲା ପାଇଁ କ'ଣ କରିଛନ୍ତି।

ପ୍ରଣବଙ୍କୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଚିନ୍ତା

ଭୁବନେଶ୍ବର, ୧୬/୦୧/୨୦୨୪: ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଜେପିର ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡିବା ସହ କେନ୍ଦ୍ରମନ୍ତ୍ରୀ ଶାସକ ଦଳକୁ ଅହଂକାରୀ ବୋଲି କହିଛନ୍ତି।

ଏହା ସହ ମମିତା ମେହେର ହତ୍ୟା କାଣ୍ଡକୁ ନେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାସକ ଦଳର ବରିଷ୍ଠ ଅଧିକାରୀ ଓ ନେତାମାନେ ନାବାଳିକାଙ୍କୁ ଶୋଷଣ କରି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ କ୍ଷେତରେ ପୋତିଦେବାରେ ସମ୍ପୃକ୍ତ ଥିଲେ। ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରେ ଥାନା ଭିତରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ ବିଜେଡି କର୍ମୀ। କିନ୍ତୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଶାସକ ବିଜେଡି ଗଣତାନ୍ତ୍ରିକ ପ୍ରଥାକୁ କ୍ଷୁଣ୍ଣ କରୁଛି। ଗଣତନ୍ତ୍ରରେ ଲୋକମାନେ ଅହଂକାରକୁ ବରଦାସ୍ତ କରିବେ ନାହିଁ। ସମୟ ଆସିଲେ ଲୋକମାନେ ସେମାନଙ୍କୁ ଶିକ୍ଷା ଦେବେ ବୋଲି ସେ କହିଛନ୍ତି।

ମହିଳାଙ୍କ ଉପରେ ଅତ୍ୟାଚାରରେ ଓଡ଼ିଶା ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଛି ବୋଲି ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି ଯେ ହତ୍ୟା ଓ ଅପହରଣ ଭଳି ଅପରାଧ ପ୍ରତିଦିନ ଖବରକାଗଜର ଶୀର୍ଷକ ପାଲଟିଛି। ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ ଦେଖାଦେଇଛି।

ଲୋକମାନେ କାମ ସନ୍ଧାନରେ ଓଡିଶାରୁ ବାହାର ରାଜ୍ୟକୁ ପଳାଉଛନ୍ତି। ଆଉ ସେଠାରେ ଦାଦନ ହୋଇ ଖଟୁଛନ୍ତି। ସେହିପରି କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଉଥିବା ବେଳେ ରାଜ୍ୟ ସରକାର ଏହାର ଶ୍ରେୟ ନେଉଛନ୍ତି।

ସେହିପରି ଧର୍ମେନ୍ଦ୍ରଙ୍କୁ ବି ସୋସିଆଲ ମିଡ଼ିଆରେ କଡା ଜବାବ ଦେଇଛନ୍ତି ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ କହିଛନ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଛନ୍ତି, ହେଲେ ନିଜ ଜିଲ୍ଲା ଅନୁଗୁଳ, ଓ ପଡୋଶୀ ଜିଲ୍ଲା ଢେଙ୍କାନାଳ ଓ ସମ୍ବଲପୁର ପାଇଁ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟ ଓ ଦକ୍ଷତା ବିକାଶ କେନ୍ଦ୍ରଟେ ବି କରି ପାରିନାହାନ୍ତି।

NH-55ର ଅବସ୍ଥା ଯାହା, ଗତ ୧୦ ବର୍ଷ ମଧ୍ୟରେ ବି ସୁଧୁରି ପାରି ନାହିଁ। ଆଉ ଆପଣଙ୍କୁ ଜାତୀୟ ରାଜପଥରେ ଯିବା ବଦଳରେ ରାଜ୍ୟ ରାଜପଥରେ ଯିବାକୁ ପଡ଼ୁଛି। ଶ୍ରୀଯୁକ୍ତ କେ. ପି. ସିଂହ ଦେଓ ଦାୟିତ୍ୱ ତୁଲାଇବା ବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ।

ବୋଧ ହୁଏ ଏହି ସବୁ କଥା ଶୁଣି ଆପଣ ରାଗି ଯାଇଛନ୍ତି ଓ ଆପଣଙ୍କ ଉଚ୍ଚ ରକ୍ତଚାପ ବଢି ଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିବା ଦେଖିଥିଲି। ଅନୁରୋଧ କରୁଛି, ଏବେ ନିୟମିତ ଭାବେ ଯୋଗ କରନ୍ତୁ।