ଗିରିଧର ଗମାଙ୍ଗଙ୍କ ଘର ବାହୁଡା

କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଏବଂ ପୁଅ ଶିଶିର। ଏହା ସହ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି।

ପୁଣି ହାତ ଧରିଲେ ଗମାଙ୍ଗ ପରିବାର

ଭୁବନେଶ୍ବର, ୧୭/୦୧/୨୦୨୪: ଗମାଙ୍ଗ ପରିବାରର ଘର ବାହୁଡା। ପୁଣି ଥରେ ହାତ ଧରିଛନ୍ତି ଗମାଙ୍ଗ ପରିବାର। କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ। ଏହା ସହ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। ନୂଆଦିଲ୍ଲୀର ଏଆଇସିସିର ମୂଖ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପିସିସି ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ଫେରିଛନ୍ତି ଦଳର ଏହି ଟାଣୁଆ ନେତା।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ। ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ। କିନ୍ତୁ ଓଡ଼ିଶାରେ ବିଆରଏସର ସ୍ଥିତି ସୁଦୃଢ଼ ନଥିବାରୁ ସେ ବିଆରଏସରୁ ଇସ୍ତଫା ଦେଇ ପୁଣି ଥରେ କଂଗ୍ରେସରେ ଯୋଗଦାନ କଲେ। ସେହିପରି ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। କିନ୍ତୁ ପରେ ବିଜେପିରୁ ଇସ୍ତଫା ଦେଇ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।