ସ୍ୱତନ୍ତ୍ର ରିପୋର୍ଟ: ବାବ୍ରି ମସଜିଦରୁ ରାମ ଭୂମି

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ।

ପଛରେ ରହିଛି ସଂଘର୍ଷମୟ ଇତିହାସ

ଅଯୋଧ୍ୟା ଉତ୍ତର ଭାରତର ଏକ ସହର। ଯେଉଁଠାରେ ଶହ ଶହ ବର୍ଷ ଧରି ଏକ ଐତିହାସିକ ବାବ୍ରି ମସଜିଦ ଥିଲା। ଏହି ମସଜିଦକୁ ମୋଗଲ ସମ୍ରାଟ ବାବରଙ୍କ ସହ ଜଡିତ ଜଣେ ଜେନେରାଲ ୧୫୨୭ ମସିହାରେ ନିର୍ମାଣ କରିଥିଲେ। ଷୋଡ଼ଶ ଶତାବ୍ଦୀର ଏହି ମସଜିଦ ଭଙ୍ଗାଯିବା ପରେ ଏବେ ରାମ ମନ୍ଦିର ନିର୍ମାଣ କରାଯାଇଛି।

ବାବ୍ରି ମସଜିଦ ପ୍ରାରମ୍ଭିକ ମୋଗଲ ସାମ୍ରାଜ୍ୟର ସ୍ଥାପତ୍ୟର ଏକ ଜୀବନ୍ତ ଉଦାହରଣ ଥିଲା, ଯାହା ୧୬ଶହରୁ ୧୯ଶହ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର କିଛି ଅଂଶକୁ ଶାସନ କରିଥିଲା। ୧୮୫୦ ଦଶକରେ, ଯେତେବେଳେ ଭାରତ ମୁଖ୍ୟତଃ ବ୍ରିଟିଶ ଶାସନ ଅଧୀନରେ ଥିଲା, ସେତେବେଳେ ହିନ୍ଦୁମାନେ ଦାବି କରିଥିଲେ ଯେ ହିନ୍ଦୁମାନଙ୍କ ପ୍ରମୁଖ ଭଗବାନ ଶ୍ରୀ ରାମ ସେହି ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯେଉଁଠାରେ ମସଜିଦ ଥିଲା। ବାବରଙ୍କ ଜେନେରାଲ ସେହି ସ୍ଥାନରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିବା ପରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁ ଜାତୀୟତାବାଦୀ ଗୋଷ୍ଠୀମାନେ ଦାବି କରିଥିଲେ।

୧୯୮୦ ଦଶକରେ ଏହାକୁ ନେଇ ଆହୁରି ଜୋର ଦାବି ଉଠିଥିଲା। ଦୀର୍ଘ ବର୍ଷର ଆନ୍ଦୋଳନ ପରେ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଏକ ହିନ୍ଦୁ ଜନତା ଅଯୋଧ୍ୟାରେ ଯାଇ ବାବ୍ରି ମସଜିଦକୁ ଭାଙ୍ଗିଦେବା ପରେ ଇସ୍ଲାମୋଫୋବିକ ହିଂସାର ଧାରଣ କରିଥିଲା। ହିଂସା ଏପରି ରୂପ ନେଇଥିଲା ଯେ, ଅଯୋଧ୍ୟାର ଅନେକ ମୁସଲମାନ ସେହି ଦିନ ନିଜ ଜୀବନ ଭୟରେ ସହର ଛାଡ଼ି ପଳାୟନ କରିଥିଲେ। ପରବର୍ତ୍ତୀ ଦିନରେ ଭାରତର ବିଭିନ୍ନ ସହରରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ପ୍ରାୟ ୨୦୦୦ ଲୋକଙ୍କ ଜୀବନ ଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ।

୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ରାମ ମନ୍ଦିର ତିଆରି ପାଇଁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଅଗଷ୍ଟ ୨୦୨୦ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଧାର୍ମିକ ସମାରୋହ ଅପେକ୍ଷା ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିରୋଧୀ କଂଗ୍ରେସ ଦଳର ନେତାମାନେ ଏହାର ପ୍ରତିବାଦରେ ଏହି ଉତ୍ସବରୁ ଦୂରେଇ ରହିଥିଲେ। ଏବେ ଉଦଘାଟନ ସମାରୋହରେ ଅଂଶଗ୍ରହଣକୁ ନେଇ ମଧ୍ୟ ସେମାନେ ଆପତ୍ତି ଉଠାଇଛନ୍ତି।

ଦୀର୍ଘ ୩୨ ବର୍ଷର ସଂଘର୍ଷ ପରେ ଏବେ ହିନ୍ଦୁମାନଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ଏହି ମନ୍ଦିରରେ ପ୍ରଭୁ ଶ୍ରୀ ରାମ ୫ ବର୍ଷ କୁନି ବାଳକ ରୂପରେ ବିଦ୍ୟମାନ ହୋଇଛନ୍ତି। ୪.୫ ଫୁଟର ଏହି ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ ହେବ। ଆସନ୍ତା ୨୨ ତାରିଖରୁ ଭକ୍ତମାନେ ପ୍ରଭୁଙ୍କୁ ଦେଖିବାକୁ ସୁଯୋଗ ପାଇବେ।