ଆଇଆଇଟି ଭୁବନେଶ୍ବରରେ ରିସର୍ଚ୍ଚ କନକ୍ଲେଭ ଅନୁଷ୍ଠିତ

ଆଜି ଆଇଆଇଟି ଭୁବନେଶ୍ବରରେ ଏକ ରିସର୍ଚ୍ଚ କନକ୍ଲେଭ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା

“ସ୍ଥାୟୀ ଆସନ୍ତାକାଲି ପାଇଁ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା” ପ୍ରାସଙ୍ଗିକ ବିଷୟ

ଭୁବନେଶ୍ୱର, ୨୦/୦୧/୨୦୨୪: ୨୦୧୪ ମସିହା ଜାନୁଆରୀ ୨୦ରେ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବା ଆଇଆଇଟି ଭୁବନେଶ୍ବର ଆଜି ସ୍ମରଣୀୟ ଦିବସ ଭାବେ ଏକ ରିସର୍ଚ୍ଚ କନକ୍ଲେଭ ଆୟୋଜିତ ହୋଇଯାଇଛି। ପ୍ରାସଙ୍ଗିକ ବିଷୟ “ସ୍ଥାୟୀ ଆସନ୍ତାକାଲି ପାଇଁ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା”କୁ ନେଇ କନକ୍ଲେଭଟି ସମ୍ପନ୍ନ ହୋଇଛି। ଏଥିରେ ସମଗ୍ର ଦେଶରୁ ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ବରିଷ୍ଠ ଅନୁସନ୍ଧାନକାରୀ ଏବଂ ଆଇଟି ବିଶେଷଜ୍ଞମାନେ ଭାଗ ନେଇଥିଲେ।

ଉଦଘାଟନୀ ସମାରୋହରେ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ଆଶିଷ ଘୋଷ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇଟି ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏହା ସହ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମାଲକର, ଆଇବିଏମ ନିର୍ଦ୍ଦେଶକ ଦେବେଶ ଦାସ, ଆଇଆଇଟି ଭୁବନେଶ୍ବରର ରେଜିଷ୍ଟ୍ରାର ପ୍ରଫେସର ଦେବାଶିଷ ଜେନା, କ୍ରୀଡା ଓ ଯୁବ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ କୈଳାସ ଦାସ ଯୋଗ ଦେଇଥିଲେ।

ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଅଭିଭାଷଣରେ ଅକ୍ଷୟ ଶକ୍ତି, ସ୍ଥାୟୀ ଭବିଷ୍ୟତ ଏବଂ ଭୂମିକାରେ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଆଇଆଇଟି ଭୁବନେଶ୍ବର ଅନୁସନ୍ଧାନରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଫେସର କର୍ମାଲକର ଏବଂ ଦେବେଶ ଦାସଙ୍କର ଦୁଇଟି ସର୍ବଦଳୀୟ ଆଲୋଚନା ହୋଇଥିଲା।

ସ୍ଥାୟୀ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସମ୍ଭାବ୍ୟ ସମସ୍ୟା ଏବଂ ସମାଧାନ ଉପରେ ନୂତନ ଚିନ୍ତାଧାରାକୁ ନେଇ ବିଶିଷ୍ଟ ଅନୁସନ୍ଧାନକାରୀ ଓ ଶିଳ୍ପ ବିଶେଷଜ୍ଞଙ୍କୁ ନେଇ ଏକ ପ୍ୟାନେଲ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏମ୍ଏମଟି ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡଃ ଦେବୀପ୍ରସାଦ ଦାସ, ଆଇଆଇଟି ଖଡଗପୁର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଦେବଦୂତ ସିତ, ଆମେରିକା ଆଇଟି ବିଶେଷଜ୍ଞ ଶ୍ରୀ ଗୌତମ ବେହେରା ଏବଂ ଜ୍ୟୋତିର୍ମୟ ରଥ ଯୋଗଦାନ ଦେଇଥିଲେ।

ଏଥିରେ ପାରସ୍ପରିକ ଇଣ୍ଡଷ୍ଟ୍ରି ଏକାଡେମୀ ସହଯୋଗ ମାଧ୍ୟମରେ କିପରି ଅନ୍ତର୍ନିହିତ ଗବେଷଣା କରାଯାଇ ପାରିବ ଓ ଅଭିନବ ସମାଧାନ ଉଦଭବ ହେବ, ତା ଉପରେ ଆଲୋଚନା କରା ଯାଇଥିଲା। ଏହା ସହ ଯୁବ ଗବେଷକଙ୍କ ଦ୍ୱାରା ଏକ ପୋଷ୍ଟର ପ୍ରଦର୍ଶନ ସମାରୋହ ଆୟୋଜିତ ହୋଇଥିଲା ଓ ଶ୍ରେଷ୍ଠମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କନକ୍ଲେଭର ମୁଖ୍ୟ ଯୋଗସୂତ୍ର ସନ୍ଧାନକାରୀ ଦଳ ଡ଼ ଅରୁଣ କୁମାର ସାହୁ, ଡ଼ ଦୀପକ ରାଉତ ଓ ଶ୍ରୀ ସାର୍ଥକ ପାଢୀଙ୍କୁ ପ୍ରଶଂସା କରାଯାଇଥିଲା। ପ୍ରଫେସର ଡ଼ ଲୀପିକା ଦାସ ଓ ପ୍ରଫେସର ଡ଼ ଭାରତୀ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଡିନ୍ ଏକାଡେମିକ୍ସ ପ୍ରଫେସର ରାକେଶ ଚନ୍ଦ୍ର ବଳବନ୍ତରାୟ ଓ ଡିନ୍ ଛାତ୍ର ପ୍ରଫେସର ପ୍ରଦ୍ୟୁତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।