କଂଗ୍ରେସ ଟିକେଟ ପାଇଁ ଅନଲାଇନରେ ଆବେଦନ କରିବେ ଆଶାୟୀ

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଟିକେଟରେ ଲଢିବାକୁ ଇଚ୍ଛୁକ ଥିବା ଆଶାୟୀ ଅନଲାଇନରେ ଆବେଦନ କରି ପାରିବେ।

ସ୍ୱଚ୍ଛ ଭାବେ ହେବ ନିର୍ବାଚନ

ଭୁବନେଶ୍ବର, ୦୧/୦୨/୨୦୨୪: ଆସନ୍ତା ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ ଆଶାୟୀମାନେ ଅନଲାଇନରେ ଆବେଦନ କରି ପାରିବେ। ଭୁବନେଶ୍ୱରରେ ଏକ ଦଳୀୟ ବୈଠକ ପରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି।

ଶ୍ରୀ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଦଳୀୟ ନେତା କିମ୍ବା ଯେ କୌଣସି ବ୍ୟକ୍ତି ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ପାଇଁ ଲିଙ୍କ୍ ଖୁବ୍ ଶୀଘ୍ର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯିବ। ଆବେଦନକାରୀଙ୍କ ପୃଷ୍ଠଭୂମି ଯାଞ୍ଚ ପାଇଁ ମଧ୍ୟ ଏକ ସର୍ଭେ ଟିମ୍ ନିୟୋଜିତ ହେବେ। ଏହି ଟିମର ରିପୋର୍ଟ ପ୍ରଦେଶ ନିର୍ବାଚନ କମିଟିକୁ ପଠାଯିବ, ଏହି କମିଟିର ସଦସ୍ୟ ଯାଞ୍ଚ ପରେ ସମସ୍ତ ତଥ୍ୟ ସହ ରିପୋର୍ଟ ସ୍କ୍ରିନିଂ କମିଟିକୁ ପଠାଇବେ। ପରେ ସ୍କ୍ରିନିଂ କମିଟିର ସୁପାରିସ କ୍ରମେ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଟିକେଟ ଆଶାୟୀଙ୍କୁ ଲବି କରିବାରୁ ରୋକିବା ଏହାର ଉଦ୍ଦେଶ୍ୟ। ତେଣୁ ସମଗ୍ର ପ୍ରକ୍ରିୟା ସ୍ୱଚ୍ଛ ଭାବରେ ପରିଚାଳିତ ହେବ।

ସୂଚନାନୁଯାୟୀ, ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।