ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଭେଟି ଦେବେ ୬୮,୦୦୦ କୋଟିର ପ୍ରକଳ୍ପ

ଆସନ୍ତା କାଲି ଏନଟିପିସି ଅନୁଯାୟୀ ପ୍ରଧାନମନ୍ତ୍ରୀ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ଏନଏସପିସିଏଲ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୨୧୧୦ କୋଟି ଟଙ୍କା ବ୍ୟୟରେ ୩ଟି ଜାତୀୟ ରାଜପଥ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ବିଦ୍ୟୁତରେ ନିବେଶ କରିବେ ଏନଟିପିସି, ଏନ୍ଏସପିସିଏଲ୍

ଭୁବନେଶ୍ବର, ୦୨/୦୨/୨୦୨୪: ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ସହିତ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଫେବ୍ରୁଆରି ୩ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସମ୍ବଲପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପ (ଜେଏଚବିଡିପିଏଲ୍)ର ‘ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ୍’ (୪୧୨ କିଲୋମିଟର)’କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରିବ। ସେହିପରି ୨୬୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟୟ ବରାଦ ହୋଇଥିବା ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ୬୯୨ କିଲୋମିଟର ଲମ୍ବର ‘ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ’ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟରେ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାରେ ଉନ୍ନତି ଆଣିବ।

ଏହା ବ୍ୟତୀତ, ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ଏହା ମଧ୍ୟରେ ରହିଛି, ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ପ୍ରକଳ୍ପରେ ୮୨୯ ମେଗାୱାଟ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବା ପାଇଁ ୧୪,୮୨୨ କୋଟି ଟଙ୍କା ନିବେଶ କରାଯାଇଛି। ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପରେ ୨୫୦ ମେଗାୱାଟ୍ ବିଦ୍ୟୁତ ଶକ୍ତି ଯୋଗାଇ ଦେବା ପାଇଁ ୨୩୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅନୁଗୁଳ ଜିଲ୍ଲାରେ ୧୧,୮୪୪ କୋଟି ଟଙ୍କାର ନିବେଶ ହେବାକୁ ଥିବା ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟରେ ଓଡିଶାକୁ ୬୬୦ ମେଗାୱାଟର ବିଦ୍ୟୁତ ଶକ୍ତି ମିଳିବ। ଏହି ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବା ପରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଯୋଗାଣ ହେବ।

ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲସି) ତାଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୨୪ ଘଣ୍ଟିଆ ଶକ୍ତି ପ୍ରଦାନ କରିବ। ୨୧୪୫ କୋଟି ଟଙ୍କା ବ୍ୟୟରେ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିବେ।ଯେଉଁଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲଫିଲ୍ଡରେ ଭୁବନେଶ୍ୱରୀ ପ୍ରଥମ ପର୍ଯ୍ୟାୟ ଏବଂ ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ) ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଓଡ଼ିଶାରୁ ଶୁଖିଲା ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ। ଝାରସୁଗୁଡ଼ା ଜିଲ୍ଲାରେ କୋଇଲା ପ୍ରକ୍ରିୟାକରଣ ପାଇଁ ୫୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ।

୮୭୮ କୋଟି ଟଙ୍କା ବିନିଯୋଗରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବା ଦ୍ୱିତୀୟ ଟ୍ରାକକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହା ସହ ୨୧୧୦ କୋଟି ଟଙ୍କା ବ୍ୟୟରେ ଯୋଗାଯୋଗ ଓ ଅର୍ଥନୈତିକ ବିକାଶ ପାଇଁ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏହି ପ୍ରକଳ୍ପରେ ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ ପ୍ରଶସ୍ତ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୧୫ (ନୂତନ ଜାତୀୟ ରାଜପଥ ନଂ ୫୨୦)ର ରିମୁଳି-କୋଇଡା ସେକ୍ସନ, ଜାତୀୟ ରାଜପଥ ୨୩ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ସେକ୍ସନ ଏବଂ ୨୩ ନମ୍ବର ଜାତୀୟ ରାଜପଥ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବ୍ରାହ୍ମଣୀ ବାଇପାସ୍ ଏଣ୍ଡ-ରାଜାମୁଣ୍ଡା ସେକ୍ସନ ଆଦି ରହିଛି।

ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ଶିଳାନ୍ୟାସ କରିବେ। ୧୬୮ କିଲୋମିଟର ବିଶିଷ୍ଟ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ ଏବଂ ୨୧.୭ କିଲୋମିଟର ବିଶିଷ୍ଟ ଝାରସୁଗୁଡ଼ାରୁ ସୋନପୁର ନୂଆ ରେଳଲାଇନ ଲୋକାର୍ପଣ କରିବେ। ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ବସନ୍ତପୁରଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ। ଏହା ପରେ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନର ଉଦଘାଟନ କରିବେ।