ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

• ଆଇଆଇଏମ, ସମ୍ବଲପୁର ଏବଂ ସମ୍ବଲପୁର ରେମେଡ ପଡ଼ିଆ ଠାରେ ସ୍ଥାନୀୟ ପ୍ରଶାସନ ଓ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ • ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସର ହେବ ଲୋକାର୍ପଣ • ଗତ ୩ ବର୍ଷ ତଳେ ଆଇଆଇଏମ ସମ୍ପଲପୁର କ୍ୟାମ୍ପସର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ୬୮,୦୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୨/୦୨/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଇଆଇଏମ, ସମ୍ବଲପୁର ଓ ସମ୍ବଲପୁର ରେମେଡ ପଡ଼ିଆ ଠାରେ ପ୍ରତ୍ୟକ୍ଷ ଭାବରେ ସ୍ଥାନୀୟ ପ୍ରଶାସନ, କର୍ତ୍ତୃପକ୍ଷ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଉଦଘାଟନ କରିବା ସହ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସମ୍ବଲପୁର ରେମେଡ୍ ଛକ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ‘ବିଶାଳ ଗ୍ୟାରେଣ୍ଟି ସମାବେଶ’ରେ ଯୋଗ ଦେବେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୬୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଆଇଆଇଏମ, ସମ୍ବଲପୁର ଗସ୍ତ କରି ସ୍ଥାନୀୟ ପ୍ରଶାସନ ଓ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ରେମେଡ ଠାରେ ସ୍ଥାନୀୟ ପ୍ରଶାସନ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ।

ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତ ୩ ବର୍ଷ ତଳେ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି, ଯେଉଁ ପ୍ରକଳ୍ପକୁ ଆମ ସରକାର ଆରମ୍ଭ କରେ, ସେହି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରେ । ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସର ଭବ୍ୟ ଭବନର ଲୋକାର୍ପଣ ହେବ । ବିଗତ ୧୦ ବର୍ଷ ଭିତରେ ଏହି ଅନୁଷ୍ଠାନ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ନିଜର ମାନ୍ୟତାକୁ ଉପଲବ୍ଧି କରିପାରିଛି ।

ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ପୂର୍ବୋଦୟର ବଡ ଶକ୍ତି ପୁଞ୍ଜ ହୋଇଛି । ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ ଅନେକ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଦିଆଯିବ । ଏନଟିପିସି ସହ ଶକ୍ତି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ କରାଯିବ । ଜାତୀୟ ରାଜପଥ ପ୍ରକଳ୍ପ ସହ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ ହେବ । ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ କେନ୍ଦ୍ରର ଅନ୍ତରୀଣ ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ମାଟିରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି, ଯାହା ଆମ ପାଇଁ ଗୌରବର ବିଷୟ । ମୋଦିଜୀ ଦେଶର ଗରିବ, ମହିଳା, କୃଷକ ଏବଂ ଯୁବକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି ।