ଖ୍ୟାତନାମା ଚଳଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ବରିଷ୍ଠ ଓଡ଼ିଆ ଅଭିନେତା ତଥା ପଦ୍ମଶ୍ରୀ ସାଧୁ ମେହେରଙ୍କ ଆଜି ପରଲୋକ ଘଟିଛି। ସେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୁମ୍ବାଇ, ୦୨/୦୨/୨୦୨୪: ଓଡ଼ିଶାର ଗୌରବ ତଥା ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ମୁମ୍ବାଇସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି।

ଏ ନେଇ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦୀ ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ଶ୍ରୀ ମେହେରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ସାଧୁ ମେହେରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଶା ସମେତ ଭାରତୀୟ ସିନେମାକୁ ସୁସମୃଦ୍ଧ କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି। କଳା ପ୍ରତି ତାଙ୍କର ରୁଚି, ଆକର୍ଷଣ ଭାବନା ଓ ନିଖୁଣ ଅଭିନୟ ଥିଲା ସ୍ୱତନ୍ତ୍ର। ତାଙ୍କ ବିୟୋଗରେ ଭାରତ ଜଣେ ସ୍ୱାଭିମାନୀ କଳାକାରଙ୍କୁ ହରାଇଲା। ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ମନମୁଣ୍ଡାରେ ଜନ୍ମଗ୍ରହଣ କରିଥିବା ମେହେର ଉଭୟ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି। ଶ୍ରୀ ମେହେର ୧୯୭୪ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଅଙ୍କୁର’ରେ କିସ୍ତାୟା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଅଭିନେତା ଯାହାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।