କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା କାଲିଠୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହେବା ଅବସରରେ ମୁଖ୍ୟମନ୍ତ୍ରୀ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଅକ୍ଷର ଭୂମି ସମ୍ମିଳନୀର ସ୍ମୃତିକୁ ଚିର ସ୍ମରଣୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୨/୦୨/୨୦୨୪: ଆସନ୍ତା କାଲି ଫେବୃୟାରୀ ୩ରୁ ତିନି ଦିନ ଧରି ଭୁବନେଶ୍ଵରର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି ।

ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।

ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଏମସି ମେୟର ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୁଖ ଉପସ୍ଥିତ ଥିଲେ।