ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ ଖରିଆରବାସୀ: ପାଣ୍ଡିଆନ

୭ ମାସରେ ନୂଆପଡାକୁ ୬୦୦ କୋଟି ଟଙ୍କା ମିଳିଥିବା ବେଳେ ୮୪୦ଟି ଆବେଦନରୁ ୭୮୦ଟି ଅଭିଯୋଗର ସମାଧାନ ହୋଇଛି।

ନୂଆପଡାବାସୀଙ୍କ ସ୍ୱପ୍ନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୂରଣ: ପାଣ୍ଡିଆନ

ଭୁବନେଶ୍ବର, ୦୨/୦୨/୨୦୨୪: ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ। ଯେଉଁଥିରେ ଗରୀବ ଲୋକ ବି ବଡ ବଡ ସ୍ୱପ୍ନ ଦେଖିପାରିବେ ଓ ତାକୁ ସାକାର କରି ପାରିବେ। ଏଥିରେ ଖରିଆରବାସୀ ବି ସାମିଲ ହେବାକୁ ଆଜି ନୂଆପଡା ଜିଲ୍ଲା ବୋଡେନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଆହ୍ୱାନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ।

ସେ କହିଛନ୍ତି ଯେ, ଏହା ନବୀନ ପଟ୍ଟନାୟକ କି ବିଜେଡି ସରକାରଙ୍କର ନୁହେଁ। ଏହା ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଏକ ନୂଆ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ସାକାର କରିବାକୁ ଖରିଆରବାସୀ ଏକାଠି ହୁଅନ୍ତୁ। ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମେ’ ମାସରେ ଖରିଆ ଗସ୍ତ କରିଥିବା ବେଳେ ୮୪୦ ଅଭିଯୋଗ ମିଳିଥିଲା, ତନ୍ମଧ୍ୟରୁ ୭୮୦ଟି ସମସ୍ୟାର ସମାଧାନ ହୋଇ ସାରିଛି। ଗତ ୭ ମାସରେ ନୂଆପଡାବାସୀଙ୍କ ଦାବି ଅନୁଯାୟୀ ପ୍ରାୟ ୬୦୦ କୋଟି ଟଙ୍କା ମଞ୍ଜୁର କରିବା ସହ ଜିଲ୍ଲାର ସବୁ କଲେଜକୁ ୫-ଟିରେ ରୂପାନ୍ତରୀକରଣ କରିବା ପାଇଁ ୧୩ କୋଟି ୨୫ ଲକ୍ଷ ଟଙ୍କା, ପୋଖରୀପଡାରେ ଆଦିବାସୀ ଛାତ୍ରାବାସ ପାଇଁ ୩ କୋଟି, ସୁନାବେଡ଼ାକୁ ରାସ୍ତା ପାଇଁ ୩୦ କୋଟି, ଶାଳବଡାରେ ଏକ ଶିକ୍ଷା କମ୍ପ୍ଲେକ୍ସ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା, ମଣ୍ଡେଇ ମନ୍ଦିର ରୂପାନ୍ତରଣ ପାଇଁ ୨ କୋଟି ୬୦ ଲକ୍ଷ ଟଙ୍କା, ଯୋଗେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ୯୫ ଲକ୍ଷ ଟଙ୍କା, ପାତାଳଗଙ୍ଗାର ରୂପାନ୍ତରଣ ପାଇଁ ୫ କୋଟି ୮୦ ଲକ୍ଷ, ପିଇବା ପାଣି ପ୍ରକଳ୍ପ ପାଇଁ ୯ କୋଟି ୪୦ ଲକ୍ଷ, ବୋଡେନ-ସିନାପାଲି ରାସ୍ତା ପାଇଁ ୩୮୩ କୋଟି ଟଙ୍କା, ଓ ସହଜ ନଳା ଉପରେ ସେତୁ ପାଇଁ ୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଆବେଦନ ଉପରେ ମୁଖ୍ୟମନ୍ତ୍ରୀ ୧୦ ଦିନ ମଧ୍ୟରେ ଖୁସି ଖବର ଦେବେ। ନୂଆପଡାରେ ଖୁବ ଶୀଘ୍ର ଲକ୍ଷ୍ମୀ ବସ ଗଡିବ। ସେହିପରି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ କଳାକାର ଭତ୍ତା ବଢିବା ସହ ଆମ ବ୍ୟାଙ୍କ ଯୋଜନାରେ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ବୋଲି ପାଣ୍ଡିଆନ କହିଛନ୍ତି।