ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନ ନିଷ୍ପତି

• ଭାରତୀୟ ଜନତା ପାର୍ଟିର ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏହି ଖବର ମୋତେ ଖୁସି ଦେଇଛି • ଭାରତୀୟ ରାଜନୀତିରେ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଅବଦାନ ଅତୁଳନୀୟ • ଏହି ନିଷ୍ପତ୍ତି ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ କୃତଜ୍ଞତା ଦେଲେ କେନ୍ଦ୍ରମନ୍ତ୍ରୀ

ସମାଜ, ସଂସ୍କୃତି ଓ ସଭ୍ୟତାର ଉତ୍ଥାନ ପାଇଁ ସମର୍ପିତ ଆଡଭାନୀଙ୍କୁ ଉପଯୁକ୍ତ ସମ୍ମାନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୩/୦୨/୨୦୨୪: ବିଜେପିର ବରିଷ୍ଠ ନେତା ଆଦରଣୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରିବାର ନିଷ୍ପତ୍ତି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଆନନ୍ଦର ବିଷୟ । ଜଣେ ଭାରତୀୟ ଜନତା ପାର୍ଟିର ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏହି ଖବର ମୋତେ ଖୁସି ଦେଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଅବଦାନକୁ ତୁଳନା କରି ହେବନାହିଁ । ମୁଁ ତାଙ୍କୁ ଅତି ନିକଟରୁ ଜାଣିଛି । ସେ ସ୍ୱଚ୍ଛ ରାଜନୀତିର, ଅଧ୍ୟୟନଶୀଳ ରାଜନୀତିର ତଥା ସ୍ପଷ୍ଟ ଏବଂ ନୈତିକତାଯୁକ୍ତ ରାଜନୀତିର ମୂର୍ତ୍ତିମନ୍ତ ପ୍ରତୀକ । ରାଷ୍ଟ୍ରସେବା ଓ ସାଂସ୍କୃତିକ ନବଜାଗରଣକୁ ସେ ନିଜ ଜୀବନର ଲକ୍ଷ୍ୟ କରିଥିଲେ । ସମାଜ, ସଂସ୍କୃତି ଓ ସଭ୍ୟତାର ଉତ୍ଥାନ ପାଇଁ ପ୍ରତିଟି ମୁହୂର୍ତ୍ତରେ ସମର୍ପିତ ଆଡଭାନୀଙ୍କ ପାଇଁ ‘ଭାରତ ରତ୍ନ’ ଏକ ଉପଯୁକ୍ତ ସମ୍ମାନ । ତାଙ୍କର ମହାନ ଜୀବନାଦର୍ଶ କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ । ଆଜି ଭାରତ ସରକାରଙ୍କ ତରଫରୁ ତାଙ୍କୁ  ଭାରତ ରତ୍ନରେ ସମ୍ମାନିତ କରାଯିବା ଅତ୍ୟନ୍ତ ଗୌରବର ବିଷୟ । ଏହି ଅଭୂତପୂର୍ବ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି।