ସମ୍ବଲପୁର ଜିଲ୍ଲାର ରେମେଡ ଠାରେ ପ୍ରଧାନମନ୍ତ୍ରୀଙ୍କ “ବିଶାଳ ଗ୍ୟାରେଣ୍ଟି ସମାବେଶ”

• ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଲୋକମାନେ ଦୃଢ ସଂକଳ୍ପ ନେଇଥିବା କହିଲେ କେନ୍ଦ୍ରମନ୍ତ୍ରୀ • ଦେଶର ମହିଳା, କୃଷକ, ଯୁବକ ଓ ଗରିବଙ୍କ ମଧ୍ୟରେ ମୋଦି ଲହର ଦେଖାଯାଇଛି • ଆଜିର ଜନସଭା ମୋଦି ଗ୍ୟାରେଣ୍ଟି ଉପରେ ଥିବା ବିଶ୍ୱାସ ଓ ଭରସାର ନିଚ୍ଛକ ପ୍ରତିଫଳନ

ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓଡ଼ିଶାବାସୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଭରିଛି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୩/୦୨/୨୦୨୪: ୨୦୧୪ ପୂର୍ବରୁ ଓଡ଼ିଶାର ଛବିକୁ ମଳିନ କରିବା ପାଇଁ ଉଦ୍ୟମ ହେଉଥିଲା କିନ୍ତୁ ଆଜି ଆମ ସରକାର ଓଡ଼ିଶାର ଗୌରବ ବଢ଼ାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଜିଲ୍ଲାର ରେମେଡ ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ “ବିଶାଳ ଗ୍ୟାରେଣ୍ଟି ସମାବେଶ”କୁ ସମ୍ବୋଧିତ କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିକାଶମୂଳକ ପ୍ରୟାସରୁ ଓଡ଼ିଶା ବହୁତ ଉପକୃତ ହେଉଛି। ଗୋଟିଏ ସମୟରେ ଓଡ଼ିଶାକୁ ନିଜର ଅଧିକାର ପାଇବା ପାଇଁ ବହୁତ ଲଢେଇ କରିବା ସହ କଷ୍ଟ ସହିବାକୁ ପଡୁଥିଲା । କିନ୍ତୁ ଆଜି ଆପଣଙ୍କ ଏହି ପୁଅ ଦିଲ୍ଲୀରେ ବସିଛି, ଆଜି ଓଡିଶାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମଟି ସଫଳ ହୋଇଛି । ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ହୋଇଛି । ୬୮ ହଜାର କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପ ଗୁଡିକର ଉପହାର ଓଡ଼ିଶାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓଡ଼ିଶା ବିଶେଷ ଭାବରେ ସମ୍ବଲପୁରର ଗୁରୁଜନ, ମାତୃଶକ୍ତି, ଯୁବସାଥୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଭରିଛି ।

ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ଗ୍ୟାରେଣ୍ଟି ପାଇଁ ଓଡ଼ିଶାବାସୀ ମୋଦିଜୀଙ୍କୁ ସବୁଠୁ ଅଧିକ ଭରସା କରୁଛନ୍ତି । ମୋଦି ଗ୍ୟାରେଣ୍ଟି ହିଁ ମୂଳ ବିଷୟ । ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଦେଶର ଗରିବ ଲୋକମାନେ ହିମାଳୟ ଭଳି ଦୃଢ ସଂକଳ୍ପ ନେଇଛନ୍ତି । ବିଶେଷ ଭାବରେ ଦେଶର ମହିଳା, କୃଷକ, ଯୁବକ ଓ ଗରିବ ଲୋକଙ୍କ ମଧ୍ୟରେ ମୋଦି ଲହର ଦେଖାଯାଇଛି । ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଜନସଭା ଜନସମୁଦ୍ରରେ ପରିଣତ ହୋଇଛି । ଏହି ସଭା ହିଁ ମୋଦି ଗ୍ୟାରେଣ୍ଟି ଉପରେ ଥିବା ବିଶ୍ୱାସ ଓ ଭରସାର ନିଚ୍ଛକ ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।