ନିର୍ବାଚନ ପ୍ରସ୍ତୁତି: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇସିଆଇ ଟିମ୍

୨୦୨୪ ନିର୍ବାଚନ ପୂର୍ବରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଏକ ଟିମ୍।

ନିର୍ବାଚନୀ ସମୀକ୍ଷା କରିବେ ଅଧିକାରୀ

ଭୁବନେଶ୍ବର, ୦୮/୦୨/୨୦୨୪: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ କମିଶନର ଅରୁଣ ଗୋଏଲ। ଏ ନେଇ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏକ ଉଚ୍ଚସ୍ତରୀୟ ଟିମ୍।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ଏହି ଟିମରେ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ସମେତ ଉପ ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ଉକ୍ତ ଅଧିକାରୀମାନେ ଫେବ୍ରୁଆରି ୧୫ ତାରିଖରେ ଓଡ଼ିଶାରେ ପହଞ୍ଚି ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତର ପ୍ରଥମ ଦିନରେ ଜାତୀୟ ଓ ରାଜ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ବ୍ୟତୀତ ଆଇଜି ଏବଂ ଡିଭିଜନାଲ କମିଶନରଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ ଟିମ୍। ଏହା ସହ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ଏନଫୋର୍ସମେଣ୍ଟ ଏଜେନ୍ସି, ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।