ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ”

୨୦୨୪ ଭାରତ ରତ୍ନ ସମ୍ମାନ ପାଇଁ ପୂର୍ବରୁ ୨ ଜଣଙ୍କ ନାମ ଘୋଷଣା କରା ଯାଇଥିବା ବେଳେ ଆଉ ୩ ଜଣଙ୍କ ନାମ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

୨୦୨୪ ପାଇଁ ୫ ଜଣଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୯/୦୨/୨୦୨୪: ଭାରତ ରତ୍ନ ଦେଶର ଗଣତନ୍ତ୍ରର ଏକ ସର୍ବୋଚ୍ଚ ବେସାମରିକ ସମ୍ମାନ ଅଟେ। ଜାନୁଆରୀ ୨ ତାରିଖ ୧୯୫୪ରେ ସ୍ଥାପିତ ଏହି ପୁରସ୍କାର ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସର୍ବୋଚ୍ଚ ସ୍ତରର ଅସାଧାରଣ ସେବା ପାଇଁ ପ୍ରଦାନ କରାଯାଏ। ଏହି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ଚୟନ ବ୍ୟକ୍ତିଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାନ୍ତି।

ଭାରତ ରତ୍ନ ପ୍ରାପ୍ତ ପ୍ରଥମ ବ୍ୟକ୍ତିମାନେ ହେଲେ ୟୁନିଅନ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଜେନେରାଲ ସି. ରାଜଗୋପାଳଚାରୀ, ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ; ଏବଂ ଭାରତୀୟ ପଦାର୍ଥ ବିଜ୍ଞାନୀ ସି ଭି ରମଣ, ଯିଏ କି ୧୯୫୪ ରେ ସମ୍ମାନିତ ହୋଇଥିଲେ। ସେବେଠାରୁ ମରଣୋତ୍ତର ଭାବେ ପୁରସ୍କୃତ ହୋଇଥିବା ୧୮ ଜଣଙ୍କ ସମେତ ୫୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସାଧାରଣତଃ ବର୍ଷକୁ ତିନୋଟି ଭାରତ ରତ୍ନ ପୁରସ୍କାର ଦିଆଯାଇଥାଏ। କିନ୍ତୁ ୨୦୨୪ ଭାରତ ରତ୍ନ ପୁରସ୍କାର ପାଇଁ ପୂର୍ବରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ତିନି ଜଣଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଏବଂ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ଲାଲକୃଷ୍ଣ ଆଡଭାନୀ:-
ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ୧୯୨୭ରେ ବମ୍ବେରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୮୬-୯୦, ୧୯୯୩-୯୮ ଏବଂ ୨୦୦୪-୦୫ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ପାଖାପାଖି ତିନି ଦଶନ୍ଧିର ସଂସଦୀୟ କ୍ୟାରିୟର ଶେଷ କରିଥିବା ଶ୍ରୀ ଆଡଭାନୀ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ପ୍ରଥମେ ଗୃହମନ୍ତ୍ରୀ ଏବଂ ପରେ ଉପପ୍ରଧାନମନ୍ତ୍ରୀ ଥିଲେ।

କର୍ପୂରୀ ଠାକୁର:-
ଭାରତର ଜନ ନାୟକ ଭାବରେ ଜଣାଶୁଣା କର୍ପୂରୀ ଠାକୁର ୧୯୨୪ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ଜଣେ ରାଜନେତା ଥିଲେ। ସେ ୧୯୭୦ ଦଶକରେ ଦୁଇଥର, ପ୍ରଥମେ ଡିସେମ୍ବର ୧୯୭୦ରୁ ଜୁନ୍ ୧୯୭୧ ଏବଂ ପରେ ଡିସେମ୍ବର ୧୯୭୭ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିଲେ।

ପିଭି ନରସିଂହ ରାଓ:-
ପିଭି ନରସିଂହ ରାଓ ୧୯୨୧ ମସିହାରେ ଆନ୍ଧ୍ରପ୍ରଦେଶର କରିମନଗରରେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ରପ୍ରଦେଶରେ ପ୍ରାଥମିକ ଶିକ୍ଷା ସମାପ୍ତ ହୋଇଥିବା ବେଳେ ହାଇଦ୍ରାବାଦର ଓସ୍ମାନିଆ ବିଶ୍ୱବିଦ୍ୟାଳୟ, ବମ୍ବେ ବିଶ୍ୱବିଦ୍ୟାଳୟ ଏବଂ ନାଗପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ। ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିବା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ସେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଜୁଲାଇ ୧୯୮୪ରୁ ଡିସେମ୍ବର ୧୯୮୪ ପର୍ଯ୍ୟନ୍ତ ଗୃହ ମନ୍ତ୍ରୀ ଏବଂ ଡିସେମ୍ବର ୧୯୮୪ରୁ ସେପ୍ଟେମ୍ବର ୧୯୮୫ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଏହା ସହ ୧୯୯୧ ଜୁନ୍ ୨୧ରୁ ୧୯୯୬ ମେ ୧୬ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ।

ଚୌଧୁରୀ ଚରଣ ସିଂ:-
ଚୌଧୁରୀ ଚରଣ ସିଂ ୧୯୦୨ମସିହାରେ ଉତ୍ତରପ୍ରଦେଶର ମିରଟରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୩୭ ମସିହାରେ ଛପରୌଲିରୁ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୪୬, ୧୯୫୨, ୧୯୬୨ ଓ ୧୯୬୭ ମସିହାରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ। ପ୍ରଥମେ ୧୯୬୭ ଓ ପରେ ୧୯୭୦ରେ ସେ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୭୯ ଜୁଲାଇ ୨୮ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ।

ଏମଏସ ସ୍ୱାମୀନାଥନ:-
ଭାରତରେ ସବୁଜ ବିପ୍ଳବର ଜନକ ଭାବରେ ଜଣାଶୁଣା ଏମଏସ ସ୍ୱାମୀନାଥନ ୧୯୨୫ ମସିହାରେ ତାମିଲନାଡୁର ଥାନଜାବର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଥିରୁବନନ୍ତପୁରମର ମହାରାଜା ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ବିଏସସି ଡିଗ୍ରୀ, କୋଏମ୍ବାଟୁର କୃଷି ମହାବିଦ୍ୟାଳୟରୁ କୃଷି ବିଜ୍ଞାନରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ। ସେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (ଆଇଏଆରଆଇ) ରୁ କୃଷି ବିଜ୍ଞାନରେ ଏମଏସସି ଡିଗ୍ରୀ (ଜେନେଟିକ୍ସ ଏବଂ ଉଦ୍ଭିଦ ପ୍ରଜନନରେ ବିଶେଷଜ୍ଞ) ଏବଂ ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେ ପୁଗୱାସ ସମ୍ମିଳନୀ ଏବଂ ପ୍ରକୃତି ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘର ସଭାପତି ଥିଲେ।