ନାମାଙ୍କନପତ୍ର ଦାଖଲ କଲେ ବିଜେଡ଼ିର ୨ ପ୍ରାର୍ଥୀ

ଗତ କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବରେ ନାମ ଘୋଷଣା କରିଥିଲେ।

ଫେବୃୟାରୀ ୨୭ରେ ହେବ ନିର୍ବାଚନ

ଭୁବନେଶ୍ବର, ୧୩/୦୨/୨୦୨୪: ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ବିଧାନସଭା ଭବନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ସହ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ।

ଦେବାଶିଷ ବିଜେଡିର ବାରବାଟୀ-କଟକର ପୂର୍ବତନ ବିଧାୟକ ହୋଇଥିବା ବେଳେ ଶୁଭାଶିଷ ହେଉଛନ୍ତି ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି। ଗତ କାଲି ମୁଖ୍ୟମନ୍ତ୍ରୀ ଉଭୟଙ୍କ ନାମ ଘୋଷଣା କରିବା ପରେ ସେମାନେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୫ ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ହୋଇଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରି ୨୦ ରହିଛି। ଏ ନେଇ ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ।