ଅର୍ପିତାଙ୍କର ଆଉ ଏକ ଘରେ ଚଢ଼ାଉ କଲା ଇଡି

କୋଲକାତା: ବୁଢ଼ୀ ଅସୁରୁଣୀର କୁହୁକ ପେଡ଼ି ଖୋଲିଲା ଭଳି ପାର୍ଥ ଚାଟାର୍ଜୀ ଓ ଅର୍ପିତା ଚାଟାର୍ଜୀଙ୍କର କଳା ସାମ୍ରାଜ୍ୟର ପେଡ଼ି। ଅର୍ପିତାଙ୍କର ଗୋଟିଏ ପରେ ଗୋଟିଏ ଘରେ ଚଢ଼ାଉ କରୁଛି ଇଢି। ଆଉ ବାହାର କରୁଛି କୋଟି କୋଟି ଟଙ୍କାର ବିଡ଼ା। ଗତକାଲି ଅର୍ପିତାଙ୍କ ଆଉ ଏକ ଫ୍ଲାଟ୍‌ରେ ୨୯ କୋଟି ମିଳିବା ପରେ ଆଜି ଆଉ ଏକ ଫ୍ଲାଟ୍‌ରେ ଚଢ଼ାଉ କରିଛି ଇଡି। ସେଠି ଟଙ୍କା ମିଳୁଛି କି ନାହିଁ ସେନେଇ ସମସ୍ତେ ଉତ୍କଣ୍ଠାର ସହ ଖବର ଉପରେ ନଜର ରଖିଛନ୍ତି।

ଇଡି ସନ୍ଦେହ କରୁଛି ଯେ ଅର୍ପିତାଙ୍କ ଏହି ଘରେ ବି ପ୍ରଚୁର ପରିମାଣରେ ଟଙ୍କା ଥାଇପାରେ। ତେବେ ଏପର୍ଯ୍ୟନ୍ତ ଅର୍ପିତାଙ୍କର ଦୁଇଟି ଘରେ ଚଢ଼ାଉ ହୋଇଛି। ଗୋଟିଏ ଘରୁ ୨୧ କୋଟି ଟଙ୍କା ମିଳିଥିବା ବେଳେ ଆଉ ଏକ ଘରୁ ୨୯ କୋଟିରୁ ଅଧିକ ଟଙ୍କା ମିଳିଛି। ଏହା ବାଦ ଘରୁ ବହୁ ବୂଲ୍ୟର ସୁନା ଗହଣା ବି ଜବତ ହୋଇଛି। ଏପଟେ କଳା ଟଙ୍କାଙ୍କୁ ନେଇ ଅର୍ପିତା କହିଛନ୍ତି ଯେ ଏହି ସମସ୍ତ ଟଙ୍କା ପାର୍ଥଙ୍କର।  ସେ ତାଙ୍କର କଳା ଟଙ୍କା ଲୁଚାଇ ରଖିବା ପାଇଁ ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ।