ହାତ ଛାଡ଼ି ପଦ୍ମ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି

ଆଜି କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ଭାବରେ ଜଣାଶୁଣା ବିଭାକର ଶାସ୍ତ୍ରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଜେଜେବାପାଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରତିଜ୍ଞାବଦ୍ଧ: ବିଭାକର

ନୂଆଦିଲ୍ଲୀ, ୧୪/୦୨/୨୦୨୪: ନିର୍ବାଚନ ପୂର୍ବରୁ ରାଜନୀତିରେ ଦେଖା ଗଲାଣି ହଇଚଇ। କଂଗ୍ରେସରୁ ଜଣ ଜଣ କରି ବଡ ବଡ ରାଜନୀତିଜ୍ଞ ହାତ ଛାଡୁଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ ଅଶୋକ ଚୌହାନ, ମିଲିନ୍ଦ ଦେଓରା କଂଗ୍ରେସ ଛାଡିବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଇଣ୍ଡିଆ ମେଣ୍ଟରୁ ଓହରି ଯାଇଥିଲେ।

ସେହିଭଳି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ଶାସ୍ତ୍ରୀ କହିଛନ୍ତି, “ମାନ୍ୟବର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ! ସମ୍ମାନୀୟ ସାର୍, ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।

ଏକ୍ସରେ ଏହି ପୋଷ୍ଟର ଠିକ୍ ୧ ଘଣ୍ଟା ପରେ ଉତ୍ତରପ୍ରଦେଶର ଡେପୁଟି ସିଏମ୍ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ବିଭାକର ଶାସ୍ତ୍ରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ଏହା ପରେ ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ପୁଣି ଏକ୍ସରେ ଲେଖିଛନ୍ତି, ମୋ ପାଇଁ ବିଜେପିର ଦ୍ୱାର ଖୋଲିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବ୍ରଜେଶ ପାଠକଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଭାବୁଛି ମୋ ଜେଜେବାପା ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ନେବାର ସୁଯୋଗ ପାଇବି। ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବି। ଇଣ୍ଡିଆ ମେଣ୍ଟର କୌଣସି ବିଚାରଧାରା ନାହିଁ, କିନ୍ତୁ ମୋଦିଙ୍କୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି କଂଗ୍ରେସର ଆଦର୍ଶ କ’ଣ ତାହା ରାହୁଲ କୁହନ୍ତୁ।”