ସରିଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ସ୍ୱଚ୍ଛ, ନିରପେକ୍ଷ ଭାବେ ହେବ ନିର୍ବାଚନ

ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଏବଂ ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର।

ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଆହ୍ୱାନ

ଭୁବନେଶ୍ବର, ୧୭/୦୨/୨୦୨୪: ରାଜ୍ୟରେ ସରିଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା। ସମୀକ୍ଷା ପରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏ ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ରହିଛନ୍ତି। ୯ ହଜାର ୬୦୦ ଶତାୟୁ ଭୋଟର ଏବଂ ୭ ଲକ୍ଷରୁ ଉର୍ଦ୍ଧ୍ଵ ଯୁବ ଭୋଟର ରହିଛନ୍ତି। ମୋଟ ୩୭,୮୦୯ ବୁଥରେ ଭୋଟ ହେବା ସହ ୨୨,୬୮୫ ବୁଥରେ ୱେବକାଷ୍ଟିଂ ହେବ। ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

ଇସିଆଇ କହିଛନ୍ତି, ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଇଛି। ସବୁ ଭୋଟର ଆସି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପ୍ରଦର୍ଶନ ସହ ସମସ୍ତଙ୍କ ଅଭିଯୋଗ ଶୁଣିବେ ଏବଂ ନିରପେକ୍ଷ ଭାବେ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ବାଚନ ପାଇଁ ନଗଦ ଟଙ୍କା କାରବାର ଉପରେ କଡ଼ା ନଜର ରଖିବେ ବ୍ୟାଙ୍କ ଏବଂ ଭୋଟରଙ୍କୁ ପ୍ରଦାନ କରା ଯାଉଥିବା ଲୋଭନୀୟ ବସ୍ତୁ ଉପରେ ନଜର ରଖାଯିବ। ସେହିପରି ନିର୍ବାଚନ ମଇଦାନରେ ହିଂସାପାଇଁ କୌଣସି ସ୍ଥାନ ନାହିଁ। ସି-ଭିଜିଲ ଦ୍ୱାରା ହିଂସାକାଣ୍ଡ ଓ ବୁଥରେ ହେଉଥିବା ଗଣ୍ଡଗୋଳ ଉପରେ ନଜର ରଖାଯିବ। ଯେକୌଣସି ସ୍ଥାନରେ ଗଡବଡ ହେଲେ ଲୋକମାନେ ନିଜ ନାମ ଗୋପନ ରଖି ସି-ଭିଜିଲ ଆପ ଜରିଆରେ କମିଶନକୁ ଜଣାଇ ପାରିବେ। ଯେଉଁଠୁ ବି ଅଭିଯୋଗ ଆସିବ, ୧୦୦ ମିନିଟ ଭିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପହଞ୍ଚିବେ। ପେଡ୍ ନ୍ୟୁଜ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ। ଅଭିଯୋଗ ସତ ହୋଇଥିଲେ, ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ।