ବଢିଲା ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ

ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ୧ ଲକ୍ଷ ଟଙ୍କା ସହାୟତା ମିଳିବ।

କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ମିଳିବ ସହାୟତା

ଭୁବନେଶ୍ବର, ୧୮/୦୨/୨୦୨୪: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କାର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି।

ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।

ସେହିପରି ୬୦ ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ବାର୍ଷିକ ୧୫ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ କରିବେ।