ଓଡ଼ିଶାର ୨୧ ରେଳ ଷ୍ଟେସନର ହେବ ପୁନଃବିକାଶ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୨/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ଏଥିରେ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଅମୃତ ଭାରତ ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଯୋଜନାରେ ଓଡ଼ିଶାର ୨୧ଟି ଷ୍ଟେସନ ରହିଥିବା ବେଳେ ଦେଶର ୫୫୩ଟି ଷ୍ଟେସନ ରହିଛି।

ଓଡ଼ିଶାର ୨୧ଟି ଷ୍ଟେସନ ହେଲା ବିମଳାଗଡ଼, ଜରୋଳି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟଣୀ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼ ଓ ବ୍ରଜରାଜନଗର। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୦ କୋଟି ଟଙ୍କା ବିନିଯୋଗରେ ଏଗୁଡ଼ିକର ପୁନଃବିକାଶ କରାଯିବ। ଏହାବ୍ୟତୀତ ଓଡ଼ିଶାରେ ୧୪୨୦ କୋଟି ଟଙ୍କା ବ୍ୟୟରେ ୫୨ଟି ରେଳ ଓଭର ବ୍ରିଜ୍ ଓ ଅଣ୍ଡରବ୍ରିଜ୍ ନିର୍ମାଣ କରାଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର କାର୍ଯ୍ୟକ୍ରମ ନୂଆ ଭାରତର ନୂତନ କାର୍ଯ୍ୟ ସଂସ୍କୃତିର ପ୍ରତୀକ। ଆଜିର ଭାରତ ଛୋଟ ଛୋଟ ଜିନିଷର ସ୍ୱପ୍ନ ଦେଖିବା ବନ୍ଦ କରିଦେଇଛି, ଆମେ ବଡ଼ ସ୍ୱପ୍ନ ଦେଖୁଛୁ ଏବଂ ତାକୁ ପୂରଣ କରିବା ପାଇଁ ଦିନରାତି ପରିଶ୍ରମ କରୁଛୁ, ଏହା ହେଉଛି ଏହି ବିକଶିତ ଭାରତର ସଂକଳ୍ପ। ୨୭ଟି ରାଜ୍ୟର ୩୦୦ରୁ ଅଧିକ ଜିଲ୍ଲା ପାଇଁ ଏହି ପ୍ରକଳ୍ପ ରହିଛି, ଯାହାର ମୂଲ୍ୟ ୪୦ ହଜାର କୋଟି ଟଙ୍କାରୁ ଅଧିକ। ଏହି ସବୁ ପ୍ରକଳ୍ପ ଅଧୀନରେ ଲକ୍ଷ ଲକ୍ଷ ଯୁବବର୍ଗଙ୍କୁ ରୋଜଗାରର ସୁଯୋଗ ମିଳିବ। ଯୁବପିଢ଼ିଙ୍କ ସ୍ୱପ୍ନ ହେଉଛି ବିକ୍ଷିତ ଭାରତ ଗ୍ୟାରେଣ୍ଟି ପାଇଁ ମୋର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।