୧୩୩ ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଆଜି ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଏବଂ ୬ ଗୋଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍‌ସ ସେବା ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନାରେ କାର୍ଯ୍ୟ କରିବ

ଭୁବନେଶ୍ଵର,୨୮.୦୨.୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି। ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଯୋଗଦାନ ସର୍ବଦା ରହିଆସିଛି। କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ରାଜ୍ୟ ସରକାର କୃଷକମାନଙ୍କ ଆୟବୃଦ୍ଧି କରି ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

ପ୍ରାଣୀ ସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀ ମାନଙ୍କର ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି। ପ୍ରାଣୀ ସମ୍ପଦର ସୁରକ୍ଷା ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହିତ ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି। ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରୀ ୟୁନିଟ୍‌ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଯାଇ ପ୍ରାଣୀ ଚିକିତ୍ସା କରାଯାଇପାରୁଛି।

ପୀଡ଼ିତ ପ୍ରାଣୀମାନଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରୁଛି। ପୂର୍ବରୁ ଏହି ମୋବାଇଲ ୟୁନିଟ୍‌ଗୁଡ଼ିକ ଭଡ଼ାଗାଡ଼ି ମାଧ୍ୟମରେ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଗୋଟି ମୋବାଇଲ ଭେଟେରିନାରୀ ୟୁନିଟ୍‌ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କର କମଳରେ ଗତ ସେପେମ୍ବର ୮ ତାରିଖରେ ଲୋକାର୍ପିତ କରିଥିଲେ ।

ଆଜି ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୧୩୩ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ୍‌ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଏହାଦ୍ୱାରା ପ୍ରାଣୀ ଚିକିତ୍ସା ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ପାରିଛି। ଏହି ମୋବାଇଲ ୟୁନିଟ୍‌ରେ ଆସ୍ତ୍ରୋପଚାରର ସୁବିଧା ମଧ୍ୟ ରହିଛି। ଏହା ମାଧ୍ୟମରେ ପ୍ରାଣୀମାନଙ୍କର ଟୀକାକରଣ ଓ ରୋଗ ନିର୍ଣ୍ଣୟ ସେବା ମଧ୍ୟ ଉପଲବ୍ଧ କରାଯାଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇ ପାରିଛି। ପୂର୍ବରୁ ସ୍ଥିର କରାଯାଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଏହି ମୋବାଇଲ ୟୁନିଟ୍‌ ବ୍ଲକ୍‌ର ବିଭିନ୍ନ ଗ୍ରାମକୁ ଯାଇ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ୫‘ଟି’ ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ଜି.ପି.ଏସ୍‌. ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକର ଅବସ୍ଥାନ ଟ୍ରାକିଂ କରାଯାଇ ପାରୁଛି।

ଏଥିସହିତ ଆଜି ସହରାଞ୍ଚଳରେ ୬ ଗୋଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍‌ସ ସେବା ଯାନର ମଧ୍ୟ ଲୋକାର୍ପିତ ହୋଇଛି ଯାହାଦ୍ୱାରା ପୀଡ଼ିତ ଓ ଆହତ ବୁଲା ଗାଈଗୋରୁ ଓ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇହେବ। ଏହି ଅବସରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ।