ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପାଇଁ ୩ ଓଡ଼ିଆ କଳାକାର ମନୋନୀତ

୨୦୨୨ ଓ ୨୦୨୩ ପାଇଁ ଓଡ଼ିଶାର ୬ ଜଣ କଳାକାର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ମାନିତ ହେବେ।

୩ ଜଣ ପାଇବେ ଉସ୍ତାଦ ବିସମିଲ୍ଲା ଖାଁ ପୁରସ୍କାର

ଭୁବନେଶ୍ବର, ୨୯/୦୨/୨୦୨୪: ଜାତୀୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୨୨ ଓ ୨୦୨୩ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ସଙ୍ଗୀତ ନାଟକ ଏକାଡେମୀ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ୬ ଜଣ ଓଡ଼ିଆ କଳାକାରଙ୍କୁ ମନୋନୀତ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ବାରା ଏହି ସମ୍ମାନ ପ୍ରଦାନ କରାଯିବ।

୨୦୨୨ ବର୍ଷ ପାଇଁ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୂପା ଗାୟତ୍ରୀ ପଣ୍ଡାଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

୨୦୨୩ ପାଇଁ ଓଡ଼ିଶୀ ସଙ୍ଗୀତରେ ଅବଦାନ ପାଇଁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଣ୍ଡିତ ସଙ୍ଗୀତା ଗୋସାଇଁ ଏବଂ ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। ସେହିଭଳି ଓଡ଼ିଶୀ ନୃତ୍ୟ ପାଇଁ ଜଣେ ପ୍ରତିଭାବାନ ଯୁବ କଳାକାର ଭାବରେ ଦେବାଶିଷ ପଟ୍ଟନାୟକ ଏବଂ ଲୋକ ନୃତ୍ୟଶିଳ୍ପୀ ତଥା ସଙ୍ଗୀତଜ୍ଞ ଆଲୋକ ବିଷୋୟୀଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର-୨୦୨୩ ପ୍ରଦାନ କରାଯିବ।