୯ଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶିଳ୍ପ ପ୍ରକଳ୍ପ ୬୯୯୩ କୋଟି ଟଙ୍କା ନିବେଶରେ ୨୪,୫୦୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ରାଜ୍ୟର ଶିଳ୍ପ କ୍ଷେତ୍ରର ସମ୍ପ୍ରସାରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୦୧/୦୩/୨୦୨୪: ଓଡ଼ିଶାର ଅର୍ଥନୈତିକ ଉନ୍ନତି ପଥରେ ସୃଷ୍ଟି ହୋଇଛି ଆଉ ଏକ ମାଇଲଖୁଣ୍ଟ। ଆଜି ୯ଟି ଶିଳ୍ପ ପ୍ରକଳ୍ପର ଉଦଘାଟିତ ହେବା ସହ ୨୩ଟି ଶିଳ୍ପ ସଂସ୍ଥାର ଶିଳାନ୍ୟାସ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଳ୍ପ ପ୍ରକଳ୍ପର ମୂଳଦୂଆ ସ୍ଥାପନା କରିଛନ୍ତି।

ଏହି ଉଦ୍ ଘାଟନ ଓ ଶିଳାନ୍ୟାସ ହେଉଛି ପୁଞ୍ଜିନିବେଶ ଉଦ୍ଦେଶ୍ୟକୁ ଦ୍ରୁତ ଗତିରେ ଭିତ୍ତିଭୂମିରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣର ବୟାନ। ମୋଟ ୬୯୯୨.୯୪ କୋଟି ଟଙ୍କା ବିନିଯୋଗରେ ହୋଇଥିବା ଏହି ଶିଳ୍ପ ପ୍ରକଳ୍ପରେ ୨୪,୫୦୮ ନିଯୁକ୍ତି ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡ଼ିକ ୧୪ଟି ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, କଟକ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ, ସବୁଜ ଶକ୍ତି ଉପକରଣ ଉତ୍ପାଦନ, ବୟନଶିଳ୍ପ, ପର୍ଯ୍ୟଟନ ଇତ୍ୟାଦି ନୂତନ ଯୁଗ ଏବଂ ନିଯୁକ୍ତି ଭିତ୍ତିକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଆମର ଶିଳ୍ପ ବିଭାଗ ସମ୍ପ୍ରସାରଣ କରୁଛି। ରାଜ୍ୟରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗରେ କ୍ରମାଗତ ଉନ୍ନତି ସହିତ ବ୍ୟବସାୟ ଅନୁକୂଳ ପରିବେଶ, ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଏବଂ ଅତ୍ୟଧିକ ଚାହିଦାପୂର୍ଣ୍ଣ ଦକ୍ଷତା ବିକାଶ ପଦକ୍ଷେପ ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ୩୨ଟି ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପାୟନର ବ୍ୟାପକ ଭିତ୍ତିଭୂମିକୁ ନେଇ ଆନନ୍ଦ ପ୍ରକାଶ କରିଥିଲେ।